ମୁହିଁ ଗାଆଁ ମାମଲତକାର
ମୁହିଁ ଗାଆଁ ମାମଲତକାର
ମୁହିଁ ଗାଆଁ ମାମଲତକାର
ଟ୍ରାଉଜର ଖଦଡ଼ ଜାମା ପୋଷାକ ମୋର
କଥା କହିବାରେ ମୁହିଁ ଭାରି ଚତୁର
ସବୁ କାମ ହୋଇଯାଏ ଥାଇ ମୁଁ ଘର
ମୋ ମୁହଁରେ କେହି କେବେ ଦିଏନି ଉତ୍ତର
ମୁହିଁ ଗାଆଁ ମାମଲତକାର ।
ଗାଆଁ ଅନୁଷ୍ଠାନ ସବୁ ହାତେ ଅଛି ମୋର
ଗାଆଁର ଭେଣ୍ଡିଆ ଟୋକା ମୋର ଅନୁଚର
ଗାଆଁ ଭଲ ମନ୍ଦ ମୁହିଁ ବୁଝେ ନିରନ୍ତର
ସେଇଥିରେ ଚଳୁଅଛି ମୋର ପରିବାର
ମୁହିଁ ଗାଆଁ ମାମଲତକାର ।
କୁହନ୍ତିନି କେହି ମୋତେ ଗୋଟେ ଟାଉଟର
ଯେତେ ଟାଉଟର ମଲେ ବୋପା ମୁଁ ତାଙ୍କର
କଥାରେ ଲଗାଇ ଚାଟୁ ଟେକି ଦିଏ ଉତ୍ତର
ସଭିଏଁ ଜାଣନ୍ତି ମୋତେ ମୁଁ ଅଟେ ତାଙ୍କର
ମୁହିଁ ଗାଆଁ ମାମଲତକାର ।
ପାଠ ପଢି ହେବେ ଯଦି ଚାଲାକ ଚତୁର
ଭେଳା ମୋର ବୁଡ଼ିଯିବ ହେବ ଅନ୍ଧକାର
କଳେ ବଳେ କଉଶଳେ କରେ ନିରକ୍ଷର
ସେଥିପାଇଁ ଗାଆଁ ଟୋକା ମୋ ପାଖେ କୁକୁର
ମୁହିଁ ଗାଆଁ ମାମଲତକାର ।
ନିତି ତାଙ୍କ ଦରକାର ଗଂଜେଇ ବିୟର
ଦେଉଥାଏ ହାତ ଖୋଲି ଖାଇ ମଜ୍ଜା କର
ଘରେ ଘରେ କଳିମଞ୍ଜି ବୁଣେ ନିରନ୍ତର
ସମାଧାନ କରି ପୁଣି ପାଏ ଟଙ୍କା ଜୋର
ମୁହିଁ ଗାଆଁ ମାମଲତକାର ।
ଭୋଟବେଳେ ସବୁ ନେତା ଆସନ୍ତି ମୋ ଘର
ଗାଆଁ ଟୋକା ସବୁ ଆଣି କରେ ଏକ ମେଳ
ଖସାଏ ମାଣିଆ ତାଠୁ ହଜାର ହଜାର
କିଛି ବାଣ୍ଟି ଆଉ ସବୁ ପକେଟେ ମୋହର
ମୁହିଁ ଗାଆଁ ମାମଲତକାର ।
ଉନ୍ନତି ମୁଳକ କାମ କଲେ ସରକାର
ମୋ ଟୋକା ମାଡି ବସନ୍ତି ହୋଇ ଆଗଭର
ଆଉ କିଏ କଲେ ଏଠି ହେବ ଠେଙ୍ଗା ପାହାର
ମୋ ଗାଆଁରେ ଚାଲେ ସଦା ମୋର ସରକାର.
ମୁହିଁ ଗାଆଁ ମାମଲତକାର ।
କଳା ଧଳା କରିବାରେ ମୁହିଁ ଧୁରନ୍ଦର
ହେଲେ ସଦା ପିନ୍ଧିଥାଏ ଭଦ୍ରଲୋକ ଖୋଳ
ନେଇଆଣି ଥୋଇଦେଲେ ଚୋରି ବିଦ୍ୟା ଭଲ
ଧରା ନ ପଡିଲେ ସଦା ପାଇବ ଆଦର
ମୁହିଁ ଗାଆଁ ମାମଲତକାର ।
