STORYMIRROR

Pramod Kumar Jena

Tragedy

3  

Pramod Kumar Jena

Tragedy

ମତେ କଷ୍ଟ ଲାଗେ

ମତେ କଷ୍ଟ ଲାଗେ

2 mins
218


ରାଜରାସ୍ତା ଦେଖି ଭାବଇ ମନ

ଯୁଦ୍ଧ ପ୍ରାଙ୍ଗଣ ନା କ୍ରୀଡା ମଇଦାନ

ଅଘୋଷିତ ପ୍ରତିଯୋଗିତା

ଆଉ ବିନା ପ୍ରୟୋଜିତ

ଯୁଦ୍ଧ ଲାଗେ ଏଠି ଘଡି କି ଘଡି

କିଏ ସେ ଆଗକୁ ଯିବରେ ମାଡି

ବୃଥା ବାହାସ୍ଫୋଟ ବଡିମା ପାଇଁ

ଚାଳକେ ଭୁଲନ୍ତି

ପଛରେ ହୁଏତ ଅଛନ୍ତି କେହି l


କୋଉଠି ଆଗରେ କୋଉଠି ପଛେ

କୋଉଠି କୋଳରେ ଛୁଆ ବକଟେ

କି ବୁଝେ ସେ ଏହି ଘୋଡା ଦୌଡରେ

ଜାବୁଡି ଧରେ ସେ ପ୍ରାଣ ବିକଳେ

ପିଲା ସିନା କୋଳେ ରହେ ଅଟକି

ହେଲେ ପାଦର ଚପଲ ପଡେ ଛିଟିକି

ରାଜରାସ୍ତାର କଡେକଡେ

ଏମିତି କେତେ ଯେ ଚପଲ

ଆଉ ପଟେ ଜୋତା ଅଛନ୍ତି ସାକ୍ଷୀ

ଭାରି କଷ୍ଟ ଲାଗେ ଏ ସବୁ ଦେଖି

ଭାରି କଷ୍ଟ ଲାଗେ ଏ ସବୁ ଦେଖି l



ସହର ମଧ୍ୟରେ କେତେ ଚୌରାହି

ପଦଚାରୀ ଆଉ ଯାନ ଆରୋହୀ

ଘଡି ଘଡି ରଙ୍ଗ ବଦଳାଉଥିବା

ଲାଲ୍, ସବୁଜ ଆଉ ହଳଦିଆ

ବତୀ ଆଡକୁ ରହନ୍ତି ଚାହିଁ

ଆହୁରି ମଝିରେ କର୍ତ୍ତବ୍ୟରତ ସିପାହୀ l

ହେଲେ ଆସନ୍ତି ଏମାନେ କୁଆଡୁ ଧାଇଁ

ଡାହାଣ ବାଆଁ କିଛି ପରବାଏ ନାହିଁ

ବ୍ରାଣ୍ଡେଡ୍ କପଡାର ଟ୍ୟାଗ୍ ଭଳି

କୋଳେ ଆଣିଛନ୍ତି ଛୁଆକୁ ବୋହି

ହଟ୍ଟାକଟ୍ଟା ମାଆର ରୋଗୀଣା ଛୁଆ

ପ୍ରଶ୍ନ ଉଠେ ମନେ

ସତରେ କଣ ଇଏ ତା ମାଆ ?

କାହିଁ ଭ୍ରୂକୁଞ୍ଚନ ମାଆକୁ ଦେଖି ତ

ଦୟାସାଗର କେ ଛୁଆକୁ ଦେଖି

ଡହ ଡହ ଖରା ଅସହ୍ୟ ତାତି

ପଞ୍ଜରା ଦିଖଣ୍ଡ କୋରଡ ଆଖି

ଭାରି କଷ୍ଟ ଲାଗେ ଏ ସବୁ ଦେଖି

ଭାରି କଷ୍ଟ ଲାଗେ ଏ ସବୁ ଦେଖି


ଜିନ୍ଦାବାଦ୍ ଜିନ୍ଦାବାଦ୍

ଭାରତ ବନ୍ଦ୍ ଓଡିଶା ବନ୍ଦ୍

ରାସ୍ତା ବନ୍ଦ୍ ଘାଟ ବନ୍ଦ୍

ଅଖ ବନ୍ଦ୍ ଚକ ବନ୍ଦ୍

ରାଜରାସ୍ତା ମଧ୍ୟେ କେତେ ଯେ ଧାଡି

ମାଗିକି କିଏ ସେ ପିନ୍ଧିଛି ଶାଢି

ବାବୁ କହିଥିଲା

ଚାଲିବେ ବାଟେ, ଖାଇବେ ପେଟେ

କି ସେ ସ୍ଲୋଗାନ୍, କି ଅର୍ଥ ତାର

ରଡନ୍ତି ସଭିଏଁ, ରଡନ୍ତି ସଭିଏଁ

କାହିଁକିନା

ବାବୁ କହିଥିଲା

ରଡିଲେ ପାଇବ ବେଶି ପଗାର l


ଏପଟେ ବୁଜୁଳା ସେପଟେ ବୁଜୁଳା

ବୁଜୁଳା ଭିତରେ ନିରୀହ ଛୁଆ

ନ ଜାଣେ ଏ ସବୁ ଖେଳର ମାୟା

କୁଆଡେ ଯାଉଛି, କଅଣ ହେଉଛି

ନଜାଣେ ଏ ସବୁ ଖେଳର ମାୟା

ପୁଲିସ ବାବୁର ଲାଠିକୁ ଦେଖି

ନିରୀହ ଛୁଆର ବିକଳ ଆଖି

ଭାରି କଷ୍ଟ ଲାଗେ ଏ ସବୁ ଦେଖି

ଭାରି କଷ୍ଟ ଲାଗେ ଏ ସବୁ ଦେଖି l


ଏଇମିତି ଏକ ଚାରିଛକି ପାଖେ

ଆମ ଗଣତନ୍ତ୍ର ଠିଆ

ବାସ୍ତରୀ ବରଷ ହୋଇଲାଣି ତାକୁ

ଲାଗେ ଅସହାୟ ଛୁଆ


ଅସହାୟ ଆଉ ନିରୂପାୟ ଆଜି

ବନ୍ଧା ପଡିଛି ତା ଚାବି

ଭାରି କଷ୍ଟ ଲାଗେ ଏ ସବୁ ଭାବି

ଭାରି କଷ୍ଟ ଲାଗେ ଏ ସବୁ ଭାବି l




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy