ମରୁଭୂମି
ମରୁଭୂମି
ଜୀବନରେ ଭରିଥିଲେ ହସଖୁସି
ଲାଗେ ସବୁ ଶସ୍ୟ ଶ୍ୟାମଳା ଧରିତ୍ରୀ ପରି,
ଆସିଲେ ଦୁର୍ଭାଗ୍ୟ ଉଦାସ ଆଖିରେ
ଦିଶେ କେବଳ ଶୂନ୍ୟତାର ଛବି
ସରଳ କୋମଳ ହୃଦୟକୁ ଦିଏ ବିଦାରି।
ଚାରିଆଡେ କୁଢ କୁଢ ବାଲି ଆଉ ବାଲି
ଗୁଳ୍ମଭରା କଣ୍ଟାଗଛ ରୁକ୍ଷ ଶୁଷ୍କର ପରିଧି
ମୃଗତୃଷ୍ଣାର ଝଲମଲ କିମିଆଁ ଖାଲି,
ଏ ଜୀବନ ଲାଗେ ମରୁଭୂମି ମରୁଭୂମି
ସତେଜତାର ଆଭା ମଉଳି ଯାଏ
ଭବିଷ୍ୟତର କଥା ଭାବି ଭାବି
ନିଜ ଅସ୍ତିତ୍ୱର ବର୍ତ୍ତମାନକୁ ଯାଏ ଭୁଲି।
ମଧୁ ମିଳନେ ହୁଏନା ପ୍ରେମର ବରଷା
ଆସେନା ବସନ୍ତରେ ଫଗୁଣର ରଙ୍ଗୋଲୀ,
କୋଇଲିର କୁ.. କୁଉ... ତାନର ଝଙ୍କାର
ଶୁଭେନା କାନରେ ତାର ମଧୁର ମୂର୍ଚ୍ଛନା
ନୀସ୍ତବ୍ଧତା ଘନ ଅନ୍ଧକାରରେ ବସିଥାଏ
ଦୁଃଚିନ୍ତାର କାଳ ଛଞ୍ଛାଣ ତା' ଢେଣା ମେଲି।
ମନର ସ୍ବପ୍ନ ସବୁ କୁହେଳିକା ଭଳି
ଚକ୍ରବାଳର ପ୍ରଚ୍ଛଦ ପଟେ ଯାଏ ଉଭେଇ,
ଆଶାର ମୃତ୍ତିକାରେ ଶାନ୍ତିର ବୀଜ
ଅଙ୍କୁରିତ ନ ହୋଇ ହୁଏ ଗଜା ମରୁଡି
ସମ୍ଭାବନାର ଫସଲ ପାରେନା ଫଳାଇ।
ଜୀବନର ମରୁ ହେଲେ ବି ଯନ୍ତ୍ରଣାଦାୟକ
ଧୈର୍ଯ୍ୟ ସହ ଖୋଜିବାକୁ ହୁଏ ମରୁଦ୍ୟାନ,
ମିଳିଗଲେ ତାର ସଠିକ୍ ଠିକଣା
ସନ୍ତପ୍ତ ପ୍ରାଣ ହୁଏ ଶୀତଳତାରେ ପୂର୍ଣ୍ଣ।
ସେ ମରୁଝରରେ ପଲ୍ଲବିତ ହୋଇ ପାରେ
ଆଶା ଆକାଂକ୍ଷାର ଗହଳ ସବୁଜିମା,
ଅଭାବ ଭିତରେ ବଞ୍ଚାଇ ରଖିଲେ ସ୍ଵଭାବ
ଅନୁଭବ କରି ହୁଏ ତା ମହତ୍ତ୍ଵର ମହିମା।
ଜୀବନର ପ୍ରତିଟି ପ୍ରତିକୂଳ ମୁହୂର୍ତ୍ତ
ଆହ୍ଵାନ ଦିଏ ଆଗାମୀ କାଲିର ଅନୁକୂଳକୁ,
ଭଙ୍ଗା ଗଢାର ସଂସାର ପ୍ରେରଣା ଦିଏ
ନିଜକୁ ସଜାଡି ସାଉଁଟି ନିଅ ଜିଇଁବାକୁ।