ମୃତ୍ୟୁର କୋଳରେ
ମୃତ୍ୟୁର କୋଳରେ
ମୃତ୍ୟୁର କୋଳରେ ନାହିଁ ଭେଦଭାବ
ଉଚ୍ଚ ନୀଚ୍ଚ ବଡ଼ ସାନ
ଜାତି ବର୍ଣ୍ଣ ଲିଙ୍ଗ ଧର୍ମ ନିର୍ବିଶେଷେ
ସଭିଏଁ ମୃତ୍ୟୁ ଅଧୀନ ।
ମୃତ୍ୟୁ ଧ୍ରୁବ ସତ୍ୟ ନିର୍ବିଶେଷ ସ୍ଥିତି
ବିଘଟନ ବିମୋଚନ
ମୃତ୍ୟୁ ସଂଶ୍ଳେଷଣ ମୃତ୍ୟୁ ବିରେଚନ
ପୁନଃରୁଦ୍ଭବ କାରଣ ।
ଜୀବନ ମୃତ୍ୟୁର ସମ୍ବନ୍ଧ ଘନିଷ୍ଠ
ଅଙ୍ଗାଙ୍ଗୀ ଭାବେ ଜଡ଼ିତ
ଏକ ମଧ୍ୟେ ଶୂନ୍ୟ ଶୂନ୍ୟ ମଧ୍ୟେ ଅନ୍ୟ
ପ୍ରଚ୍ଛନ୍ନରେ ଅବସ୍ଥିତ ।
ନିତ୍ୟ ନିୟମିତ ପ୍ରକୃତି ପ୍ରକ୍ରିୟା
ଅଟଇ ଜୀବନ ମୃତ୍ୟୁ
କର୍ମ ଧର୍ମେ ସର୍ବେ ବିଶୋଧନ ଅର୍ଥେ
ପ୍ରକାଶନ୍ତି ତେଜ ହେତୁ ।
ବାୟୁ ତେଜ ଜଳ ଭୂମି ଓ ଆକାଶ
ତତ୍ତ୍ଵ ମୂଳ ପଞ୍ଚଭୂତ
ସୁନ୍ଦର ସ୍ୱସ୍ତିକେ ହେଉ ସଞ୍ଚାଳିତ
ସ୍ୱଚ୍ଛନ୍ଦୁ ଜୀବଜଗତ ।
----