STORYMIRROR

Aishwarya Mishra

Inspirational Others

4  

Aishwarya Mishra

Inspirational Others

ମୃତସ୍ଵପ୍ନ

ମୃତସ୍ଵପ୍ନ

1 min
37

ମିଛ ପ୍ରତିଶ୍ରୁତିର ଭାର ବୋହି ବୋହି

ମରି ଯାଇଥିବା

ମୋ ସକଳ ଭାବନା

ଆଜି ହଠାତ୍ ମୃତ୍ୟୁଞ୍ଜୟ ସାଜି

କୋହାହଳ କରୁଛନ୍ତି


ଶ୍ରାବଣର ପହିଲି ବର୍ଷା ଛିଟାରେ 

ଭିଜି ଭିଜି

ପୁଣି ଥରେ ଅଙ୍କୁରୋଦ୍ଗମ ଘଟିଛି

ମୋ ଭିତରେ କାହିଁ କେଉଁଠି 

ହଜି ଯାଇଥିବା

ମୃତ ସମ୍ଭାବନାଗୁଡ଼ିକର


ବୋଧହୁଏ ନିତି ନିତି ମରି ମରି

ସେମାନେ ବି ଏବେ

ବିରକ୍ତବୋଧ କଲେଣି

ତାଙ୍କ ଭିତରେ ନାହିଁ ଆଉ

ବଞ୍ଚିରହିବାର ଦୁର୍ବାର ଲାଳସା

ଅଥବା ମୃତ୍ୟୁର ଚରମ ଭୟ


ସେଥିପାଇଁ 

ବିପ୍ଳବୀ ହୋଇଉଠିଛନ୍ତି 

ସକଳ ଭାବନା


ଭୟର ଚିହ୍ନ ବି ନାହିଁ ମନରେ

ଯେଉଁ ଭାବନାସବୁ

ତୁମ କ୍ରୁର କରସ୍ପର୍ଶେ କାତର ହୋଇ

କଳଙ୍କ କାଳିମାକୁ ସହି ନ ପାରି

ମୃତ୍ୟୁକୁ ଆବୋରି ନେଇଥିଲେ 


ଥରେ ମୃତ୍ୟୁକୁ ଆଲିଙ୍ଗନ କରି

ଫେରିବା ପରେ

ସେମାନେ ପାଇଛନ୍ତି ଏକ ନବ ଜୀବନ


ଥରେ ମୃତ୍ୟୁକୁ ଦୃଢ ଭାବେ

ଆପଣାର କରିବା ପରେ

ଆଉ ଭୟ କ'ଣ ଯେ


ଜୀବନର ସବୁ ଆଶା ଆକାଂକ୍ଷାର

ଗୋଳାପୀ କବରକୁ

ନିଜ ହାତରେ ସଜାଇବା ପରେ

ପଛକୁ ଫେରିବାର ବାଟ ତ ନ ଥାଏ 

ଏବେ କେବଳ ଆଗକୁ ବଢିବାର ବେଳ 


ନିଜେ ନିଜ ପାଇଁ ଲଢିବାର ବେଳ

ହାରିବାକୁ ତ କିଛି ପାଖରେ ନାହିଁ 

ମୃତ୍ୟୁକୁ ବି ବରଣ କରି ନେଇଥିବା

ଭାବନାସବୁ ପାଇଁ 

ଏବେ କେବଳ ଜିତିବାର ବେଳ


ମୃତ ସ୍ଵପ୍ନ ସବୁ 

ଆଉ କେତେ ବା ମରିବେ

ଏବେ ମୃତ୍ୟୁଞ୍ଜୟ ସାଜି 

ସ୍ଵପ୍ନ ଦେଖିବାର ବେଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational