ମୃତ ଆତ୍ମା
ମୃତ ଆତ୍ମା


ବିଶ୍ବାସଘାତକତାର ତରବାରୀ
ହୃଦୟକୁ ମୋର ଚିରିଦେଇ
କରିଅଛି ରକ୍ତାକ୍ତ ।
ସବୁକିଛି ମଥାପାତି ସହିଯାଇଛି ମୁଁ
ଯେମିତି ସହିଥାଏ
ରାସ୍ତାକଡର ପଥରଟେ
ପଥିକର ପଦାଘାତ ।
ମନର ସବୁ ଆଶା
ଆଉ ଆଖିର ସବୁ ସ୍ବପ୍ନ ସରିଯାଇଅଛି ।
ତଥାପି ଯେହେତୁ
ହୃଦୟର ସ୍ପନ୍ଦନ ବନ୍ଦ ହୋଇନାହିଁ,
ମୁଁ ଏ ଯାଏଁ ବଞ୍ଚିଛି ।
ଆଜି ମୁଁ ଏମିତି ଏକ ମରୁଭୂମି,
ନା ମୋ ପାଖରେ ଅଛି ଜଳାଶୟ,
ନା ଅଛି ମରୀଚିକାର ଭ୍ରମ ।
କେବଳ ଏକ ଶୂନ୍ୟତାକୁ ନେଇ
ବଞ୍ଚିଅଛି 'ମୁଁ'
'ମୁଁ' ଅର୍ଥ କେବଳ ମୋ ଶରୀର ।
ଶାସ୍ତ୍ର କହେ
" ଶରୀର ମରେ, ଆତ୍ମା ଅମର"
କିନ୍ତୁ ମୁଁ ଦେଖିଅଛି ବିପରୀତ ।
ଶରୀର ବଞ୍ଚିଛି
ଆଉ ଆତ୍ମା ମୋର
ଅନେକ ଦିନରୁ ମରିଯାଇଅଛି ।