STORYMIRROR

Amiya Bej

Inspirational

3  

Amiya Bej

Inspirational

ମର୍ଣ୍ଣିଂଓ୍ବାକ୍

ମର୍ଣ୍ଣିଂଓ୍ବାକ୍

1 min
13.9K


ଠିକ୍ ସିନ୍ଦୂରା ଫିଟିବାର ପୂର୍ବପୂର୍ବରୁ -

ଉଷୁମ୍ ରାତିର ଅନ୍ତିମ ଦୃଶ୍ୟରେ ,

ଆରମ୍ଭ ହୁଏ ଏକ ଶୁଭାରମ୍ଭ !

ମାତ୍ର ଅସରାଏରେ ,ତିନ୍ତି ନପାରିବାର ଦୁଃଖନେଇ ,

ଆଗକୁ ଲମ୍ବିଲମ୍ବି ଯାଉଥିବା ମଚମଚ୍ ପିଚୁରାସ୍ତା !

ଭକ୍ତ-ଭଗବାନଙ୍କଠୁଁ ନିଶ୍ଚିତ ଧର୍ଷଣ ଆଶଙ୍କାରେ ,

ତ୍ରସ୍ତ-ବିବ୍ରତ,ପୁଷ୍ପମଣ୍ଡିତ,ଧାଡିଧାଡି କନିଅର ଗଛ !

ରାସ୍ତାଧାର ବଂଦ କ୍ୟାବିନ୍ ର ସୁରକ୍ଷିତ ଚଟାଣରେ ,

ଦୁଇପ୍ରେମୀ ନେଇ ରମଣକ୍ଳାନ୍ତ ନିର୍ଲ୍ଲଜୀ ମାଈକୁତ୍ତୀ !

ବାଟସାରା ଗୋବରାକ୍ତର ସାତ୍ତ୍ଵିକତା ଛାପଛାଡି ,

ସ୍ବଧର୍ମ ପାଳୁଥିବା, ବାସହରା ବେଫିକର୍ ଗାଈପଲ !

ମାତ୍ରାଧିକ ଖୁସିନେଇ ,ମାଳମାଳ କାମୁକ ଆମନ୍ତ୍ରଣରେ,

ନଂପୁସକତାର ମୁଣ୍ଡକୋଡୁଥିବା ଦୁଇ ମହାଦେବଷଣ୍ଢ !

ପଥଚାରୀ , ଅବା ନିରାଶ୍ରୟ ଯାତ୍ରୀଙ୍କୁ, ସାରାରାତି

ଠକିଭଣ୍ଡି , ସକାଳକୁ ଚା'ବାଲା ସାଜୁଥିବା ଶଠସବୁ !

ବାଲକୋନୀରେ,ଦେହଅଳସ ଭାଙ୍ଗୁଭାଙ୍ଗୁ,

ଅସନ୍ତୁଷ୍ଟତାର ଅଭିଯୋଗ ନେଇ , ଶୂନ୍ୟକୁ ନିନ୍ଦୁଥିବା ନବବଧୂ !

ଜିମ୍-ମାଷ୍ଟର୍ ଆବୋଶରେ,ପୃଥୁଳପତ୍ନୀ ହସ୍ତାନ୍ତର କରି,

ଆଶା-ବିଷାଦରେ ,ଫେରୁଥିବା ଅତିଷ୍ଠିତ ସ୍ବାମୀମାନେ !

ପାଣିବୋତଲ୍ ,କିଛି ଜରି ପ୍ଲାଷ୍ଟିକ୍ ଆଦିର ଆଶାନେଇ ,

କୁଡାଦାନରେ ଅଧାରାତିରୁ,ହାମୁଡେଇଥିବା ନାବାଳକ !

ଏଇମିତି କେତେକ'ଣ ...

କିଛି ମଧୁମେହ , କିଛି ରକ୍ତଚାପ

କିଛି ଅସୁସ୍ଥତା , କିଛି ସୁଢୋଳତା

କିଛି ପ୍ରତ୍ୟାଶା , କିଛି ଉନ୍ମାଦନା

କିଛି ହତୋତ୍ସାହ , କିଛି ନିଷ୍ଠାପର

କିଛି ଆଗ୍ରହ , କିଛି ବିରହ !!!!!

ଧାଡିବାନ୍ଧି ଚାଲନ୍ତି ରାଜରାସ୍ତାରେ ।

ଯାହା ନିତି ବଦଳେନି -

- ଏଇ କନିଅର ଅବା ମାଈକୁତ୍ତୀ

ଆଦିଙ୍କର ସ୍ଥିର ଦୃଶ୍ୟପଟ !!!

ପ୍ରତ୍ୟେକ ଆରମ୍ଭ ଏକ ଶୁଭାରମ୍ଭ

ମର୍ଣ୍ଣିଂ-ଓ୍ବାକ୍ ର ଏକମାତ୍ର ଲକ୍ଷ୍ୟ -

ମୋହ ! ମୋହ ! ମୋହ !


@ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର


Rate this content
Log in

Similar oriya poem from Inspirational