STORYMIRROR

Amiya Bej

Others

2  

Amiya Bej

Others

ରାଜନ୍

ରାଜନ୍

1 min
13.8K


ବେଳେବେଳେ ଧ୍ଵସ୍ତ ହୁଏ ନଭଶ୍ଚୁମ୍ଵୀ ଇମାରତ !

ତା'ସହ ବିଧ୍ଵସ୍ତ ବି ନିର୍ମାଣର ଅହଂକାର !!

ଏଇ ପାରିବା ପଣିଆର ଡିଣ୍ଡିମ ଖୁବ୍ ଅସହ୍ୟ ରାଜନ୍ ।

ଦୟାକରି ଦିଅନାହିଁ ଆମକୁ ଆମ ପ୍ରାପ୍ୟର ହିସାବ !

ଆମ ଅଧିକାର - ତୁମ କର୍ତ୍ତବ୍ୟ

ଆମ ହାହାକାର - ତୁମ ଅଙ୍ଗୀକାର ।

ଅତି ପ୍ରିୟ ରାଜନ୍ !

ୟା'କୁ କ'ଣ କରିପାରିବ ଅସ୍ଵୀକାର???

ତୁମେ କାଳ କାଟୁଥିବା ଠିକଣାରେ,

ତୁମେ ଚାଲୁଥିବା ଚକମକ୍ ରାସ୍ତାରେ,

ତୁମ ସୁନା ପାଲିଙ୍କିରେ , ହାତୀ ଦାନ୍ତ ପଲଙ୍କରେ,

ତୁମ ପାଟ ପଟୁଆର ମେଳ ଭିତରେ ,

ତୁମ ସ୍ବପ୍ନିଳ ଯୋଜନାଙ୍କ ଭିଡ ଗହଳିରେ,

ଇତ୍ୟାଦି ଇତ୍ୟାଦି ମାନଙ୍କରେ ,

ରାଜନ୍ ! ଆଖିଟିଏ କାହିଁ ???

ଆଖିଟିଏ କାହିଁ ?

ଦେଖିବାକୁ ଗୋଟେ ଶବର ସୁଭବିଷ୍ୟତ?

ଜାଣ ରାଜନ୍ ! ଅଭାବୀଟେ' ଦେଖୁଥାଏ ଅହରହ ସ୍ବପ୍ନ !

ତୁମେ ତ ନିଜେ ଖଞ୍ଜି ଥିଲ ଦିନେ ତାଆରି ଆଖିରେ ?

ଶବ ହେଲା ପରେ ଯଦି ତା'ର ସରେନାହିଁ ସ୍ଵପ୍ନ !!!

ସତେ କି ହୋଇଗଲ ତୁମେ ଦାୟିତ୍ୱରୁ ମୁକ୍ତ ??

ରାଜନ୍ ! କେବେ ଥରେ ତୁମେ ପାରିଧି ରେ ଆସ ।

ଶୁଣେଇବୁ ତୁମ କାନେ ଚଢେଇର ଗୀତ ।

ଛାତିଟିର ଦେଖାଇବୁ ବୁକୁଫଟା ଦୁଃଖ ।

ଖୁଦ ମୁଠାଏରେ ଜାଣୁ ଭରିବନି ପେଟ ।

ତଥାପି ବି ରାଜନ୍ କେବେ ଥରେ ପାରିଧି ରେ ଆସ ।

କାଳେ, କାଳ ଦିନେ ହୋଇଯିବ ଶେଷ !

କାଳେ, ରହିଯିବ କିଛି ତୁଚ୍ଛା ଅବଶୋଷ ।

ପ୍ରଥମ ଅବା ଶେଷ ଥର ପାଇଁ ରାଜନ୍ ,

ଟିକେ ପାରିଧିରେ ଆସ ।

ଥରୁଟିଏ ପାରିଧିରେ ଆସ ।

@ ଅମିୟ ବେଜ୍, ଘଟଗାଁ, କେନ୍ଦୁଝର


Rate this content
Log in