ମରୀଚିକା
ମରୀଚିକା
ଗ୍ରୀଷ୍ମ ଗରିଷ୍ଠତା ଗର୍ଭରୁ ଜନମ
ଭ୍ରମରେ ଭ୍ରମିତ କରେ ସର୍ବ ମନ
ଜଳେ ଜଳ ନୃତ୍ୟ ତରଙ୍ଗ ସମାନ
ସୁଦୂର ବଳୟେ ମରୀଚିକା ନାମ ।।
ଆକାଶ ପୃଥିବୀ ମଧ୍ୟେ ସମନ୍ଵୟ
ସୃଷ୍ଟିକର୍ତ୍ତା ସୃଷ୍ଟି ଅଦ୍ଭୁତ ଚିନ୍ମୟ
ଝଲ ମଲ ଦିଶେ ସାଗର ପରାୟ
ମନେ ମନ କରି ପାରେନା ନିର୍ଣ୍ଣୟ ।।
ଗ୍ରୀଷ୍ମ ପ୍ରବାହର ମଧ୍ୟ ଦିନମଣୀ
ଉତ୍ପନ୍ନ ଉଜ୍ୱଳ କିରଣ ସାରଣୀ
ତୃଷ୍ଣାରେ ତୃଷାର୍ତ୍ତ ଜଳ ପ୍ରାୟ ମଣି
ଧାଇଁ ଧାଉଁଥାଏ ନ ମିଳଇ ପାଣି ।।
ତୃଷାର୍ତ୍ତ ହୃଦୟେ ତୃଷ୍ଣା କରେ ବସା
ପ୍ରାନ୍ତରୁ ପ୍ରାନ୍ତରେ ଧାଏ କରି ଆଶା
କାହିଁ କେତେଦୂର ପାଏନି ପରଶ
ଘୁଞ୍ଚି ଘୁଞ୍ଚି ଯାଏ ହୁଅଇ ନିରାଶ ।।
ଜୀବର ଜୀବନେ ଏ ଧନ ସମ୍ପତ୍ତି
ମରୀଚିକା ସମ ସୃଷ୍ଟି ତା ବିପତ୍ତି
ତଥାପି ମନୁଷ୍ୟ ତପ୍ତରେ ତଡ଼ିତ
ଜାଣି ଜାଣି ଧାଏ ତାହାର ପଶ୍ଚାତ ।।