ମୋତେ ଲାଗୁଅଛି ଲାଜ
ମୋତେ ଲାଗୁଅଛି ଲାଜ
ଅଳପ ଅଳପ କହୁଛି ଲାଜେଇ
ବିଲେଇ ମୁଜିଛି ଆଖି
ଆଖି ମୁଜିକରି ଚାଟିଲେ କ୍ଷୀରକୁ
ରହିବ ଜଗତ ସାକ୍ଷୀ l
ମୋତେ ଲାଗୁଅଛି ଲାଜ
ଜଗତ ହସିବ କଟାକ୍ଷ କରିବ
ଖୋଲିଗଲେ ମୋର ପେଞ୍ଚ l
ଲାଜ ଲାଗିଗଲା ସାଙ୍ଗ ଜାଣିଗଲା
ଶେଜରେ ମୁତିଛି କାଲି
ହେଲି ଗର ଗର ଉପରେ ବୋଉର
ପ୍ରଘଟ କଲା ସେ ବୋଲି l
ନିଶ ମୋ ଉଠୁଛି ସାଥି ଚିଡାଉଛି
ନିଶ ଉପାଡୁଛି ମୁଇଁ
ନିଶ ନ ଉଠିଲେ ଦୁନିଆଁ ହସିବ
ପୁରୁଷତ୍ୱ ମୋର ନାଇଁ l
ଟିଉସନ ହୋଇ ବଢିଆ ପଢୁଛି
ସାରଙ୍କ କଥା କହୁଛି
ସାତଦିନ ହେଲା ଝିଅତ ଫେରିନି
ପାଠକୁ ଅଭ୍ୟାସ କରୁଛି l
ବାହାରେ ରହିକି ଭବିଷ୍ୟ ଗଢୁଛି
ରାତିରେ ହୋଟେଲ ଯାଉଛି
ପୁଲିସ ଧରିକି ଜିମାତ ଦେଇଛି
ବାପା ମୋ ଟଙ୍କାଯେ ଗଣୁଛି l
ପାଠରେ ମୁଁ ଦକ୍ଷ କଲେଜ ଯାଉଛି
ପଣିଖିଆ ଆସୁ ନାହିଁ
ଅକ୍ଷର ଜାଣିନି ଉତ୍ତୀର୍ଣ୍ଣ ହୋଇଛି
ଚାକିରି ମୁଁ ପାଉ ନାହିଁ l
ପ୍ରେମ ମୁଁ କରୁଛି ଲୁଚେଇ ଲୁଚେଇ
ପ୍ରେମିକା ଦେଖିକି ସ୍ୱପ୍ନରେ
ମନ କଥା ତାକୁ କହିଟି ଦେବାରୁ
ଚପଲ ବାଜିଲା ଗାଲରେ l
ବିବାହ କରିଛି ଅପୂର୍ବ ସୁନ୍ଦରୀ
ଖୁସି ନୁହେଁ ମୋର ପ୍ରେମେ
ଧରମ ଭାଇକୁ ନିତି ଡାକୁଅଛି
ସିନ୍ଦୁର ମାରେ ମୋ ନାମେ l
ବିବାହ ସରିଛି ଛଅ ମାସ ହେଲା
ଛୁଆ ମୋ ଖେଳୁଛି ଦାଣ୍ଡରେ
ତୁମର ଛୁଆଟା ତୁମ ଅପରୂପ
ପତ୍ନୀ କହୁଅଛି ଖୁସିରେ l
ପୁଅ ବାହାଘର ଚଉଠି ରାତିରେ
ବୋହୂଯେ ଚମ୍ପଟ ମାରିଛି
ସୁନା ରୁପା ଟଙ୍କା ସାଥେ ନେଇକରି
ପ୍ରେମିକ ସାଥେ ରହୁଛି l
ସାଙ୍ଗର ଭାରିଜା ଭାଉଜ ଡାକିକି
ଦେଖିଦେଲେ ତାର ହସ
ରାତିରେ ବାଉଳି ଚାଉଳି କୁ ଦେଖି
ଭାରିଜା ଛଡାଏ ହୋସ l
ବୟସ ସତୁରୀ ନିଶାରେ ଅଠର
ଉନ୍ମାଦେ ଦେଖି ନାତୁଣୀ
ଚୂନ କଳା ପଟି ମୁଣ୍ଡେ ଆଙ୍କି କରି
ଦାଣ୍ଡେ ବୁଲେ ବେଇମାନୀ l
ବାପ ଘରେ ପତ୍ନୀ ରହିଛି ଯାଇକି
ପଡିଶା ଘରେ ପଶିଲି
ପନ୍ଦର ହଜାରେ ଦେଇ ଫାଇନାଲ
ଇଜ୍ଜତ ମୋ ବଞ୍ଚାଇଲି l
ଗାଡି ଡ୍ରାଇଭର ସରସ ସୁନ୍ଦର
ଝିଅକୁ କଲେଜ ନେଉଛି
ବାନ୍ତି ବାରମ୍ବାର କରୁଛି ଓକାର
ଏସିଡିଟି ତାର ହୋଇଛି l
ବଳିଆ ଚାକର ଘରକୁ ନିଜର
ଆଗ୍ରହେ କାମ କରୁଛି
ଶ୍ରୀମତୀ ମୋହର ଛାଡି ଘର ଦ୍ଵାର
ତା ସାଥେ ମୂଲ ଲାଗୁଛି l
ବଡ଼ଘର କଥା ମନେ ଦେବ ବ୍ୟଥା
ତା କଥା ଟିକେ କହୁଛି
ପୁଅ ବୋହୂ ତାଙ୍କ ଉଲଗ୍ନ ପୋଷାକେ
ନାଇଟି କ୍ଲବ ଯାଉଛି l
ପର ପୁରୁଷକୁ ଜାବୁଡି କୁଣ୍ଢାଇ
ମଡ଼ନ ଡ୍ୟାନ୍ସ ସେ ନାଚୁଛି
କନ୍ୟା ରତନଟି ଲିଭି ଇନ କରେ
କୋଅଟ ସ୍ୱୀକୃତି ଦେଇଛି l
ଆଉ ଲାଗୁନାହିଁ ଲାଜ
ଇଜ୍ଜତ ମହତ କାହାର ଅଛିଯେ
ଖୋଲୁ ଥାଅ ଯେତେ ପେଞ୍ଚ l
ନେତା ପ୍ରଶାସକ ଧବଳ ପୋଷାକ
ପିନ୍ଧି କରେ ଯେ ଲୁଟପାତ
ଚୋରି ଡକାୟତି ହେଲେ ମୋର ନୀତି
ଲାଜ କିପାଇଁ ଆସିବତ l
ଚିରା ପେଣ୍ଟ ସାର୍ଟ ଆଜିର ଷ୍ଟାଇଲି
ପୋଷାକେ ନାହିଁ ସରମ
ଛାତି ପେଟ ପିଚା ଦେଖେଇ ବୁଲିଲେ
କିପାଇଁ ତୁମେ ଗରମ l
ନିଶାକୁ ବିକିଲେ ପ୍ରାଇଜି ମିଳୁଛି
ଆନନ୍ଦେ ମଦ ପିଉଛି
ଦାଣ୍ଡରେ ଗଡ଼ିଲେ ଭାଷା ବଖାଣିଲେ
ତୁମକୁ ଲାଜ ଲାଗୁଛି l
ଲାଜ ଲାଗୁଅଛି କହୁନି ମୁଁ କିଛି
ମଉନେ ରହୁଛି ମୁହିଁ
କରେଣ୍ଟ ଲାଗିଲେ କ୍ଷମା କରିଦେବ
ନିଜର ଭାବିବ ନାହିଁ l
