ମୋବାଇଲ
ମୋବାଇଲ
ଚଉଦ ବ୍ରହ୍ମାଣ୍ଡ
ହାତେ କରି ରୁଣ୍ଡ
ଗଢି ଦେଲେ ଯନ୍ତ୍ର ଟିଏ
ସୃଷ୍ଟି ରେ ବିଜ୍ଞାନ
ଶ୍ରେଷ୍ଠ ଅବଦାନ
ମୋବାଇଲ ନାମେ ସିଏ ।
ଦେଖାଇଲେ କୃଷ୍ଣ
ଏ ବିଶ୍ୱ ବ୍ରହ୍ମାଣ୍ଡ
ମାତା ଓ ସଖା ଅର୍ଜୁନେ
ବିଜ୍ଞାନ ଦେଖାଏ
ମୋବାଇଲ ମଧ୍ୟେ
ବିଶ୍ଵରୂପ ସର୍ବ ଜନେ ।
ଯାହା ତ ଖୋଜିବ
ତାହା ତ ପାଇବ
ସବୁ କଥା ତାକୁ ଜଣା
ଅଜ୍ଞାନୀକୁ ଜ୍ଞାନ
ଦୁଷ୍ଟକୁ ଗୋପନ
ବିଦ୍ୟା ଦେଇ କରେ ବଣା ।
ପଥ ଭ୍ରଷ୍ଟେ ପଥ
ଦେଖାଏ ଏହା ତ
ପୁରାଣ ଠାରୁ ବିଜ୍ଞାନ
ସାରା ପୃଥିବୀକୁ
ସଂକୁଚିତ କରି
ଉଦରେ ରଖିଛି ଜାଣ ।
ଏନ୍ତୁଡ଼ି ଶାଳରୁ
ଛୁଆ ଧରେ ତାକୁ
ନୋହିଲେ ଉଠେ ବିଳପି
ଶିକ୍ଷା ଦାନ ଠାରୁ
ପ୍ରେମ ପାଠ ଯାଏ
ଧୁରନ୍ଧର ଯୁଗ ବ୍ୟାପି ।
ପିଲା ଠାରୁ ବୁଢ଼ା
ପାଗଳ ପରାଏ
ମୋବାଇଲ ପଛେ ପଡ଼ି
ଯେତିକି ସେ ହିତ
ପୁଣି ସେ ଅହିତ
ସବୁ ଗୁଣ ଥାଏ ଜଡ଼ି ।
ଛାଡି ପାଠ ପଢା
ପିଲା ହେଲେ ବଣା
ଅନଲାଇନ୍ ଖେଳେ ମାତି
ଉପରକୁ ନୁହଁ
ଯୁବ ଯୁବା ମୁହଁ
ବସୁଥାନ୍ତି ମୁହଁ ପୋତି ।
ବସି ସଦା ଘରେ
ଏହି ଯନ୍ତ୍ର ଦ୍ୱାରେ
ହୁଏ ସବୁ ଫଇସଲା
କୋଢ଼ିଆଠୁଁ ବଳି
କୋଢିଆ ହୁଅନ୍ତି
ଝାଳ ବୁହେନିଟି ପରା ।
ପାକୃତିକ ପନ୍ଥା
କଷ୍ଟ ସାଧ୍ୟ ପନ୍ଥା
ନିରୋଗ ଜୀବନ ଥିଲା
ଆଧୁନିକ ପନ୍ଥା
ସହଜର ପନ୍ଥା
ରୋଗ ଭୋଗି ଦିନ ଗଲା ।
ଆସିବ ସେ ଦିନ
ହେବ ହୀନିମାନ
ଅବୁଝା ମଣିଷ ଜାତି
ନେଡି ଗୁଡ ଭାଇ
କହୁଣିରେ ଥାଇ
ଆଉ ନ ପାରିବା ଚାଟି ।
