ଶରଶଯ୍ୟାଶାୟୀ ଭୀଷ୍ମଙ୍କ ସ୍ତବ
ଶରଶଯ୍ୟାଶାୟୀ ଭୀଷ୍ମଙ୍କ ସ୍ତବ
ନମଃ ଶ୍ରୀପୁରୁଷୋତ୍ତମ ଦେବକୀନନ୍ଦନ l
ପ୍ରାଣୀଙ୍କର ଗତି ମୁକ୍ତି ସଂସାର କାରଣ ll
ଅଷ୍ଟ ବସୁଙ୍କର ମଧ୍ୟେ ଘୋର ଶାପ ପାଇ l
ଜନମ ଲଭିଲି ମର୍ତ୍ତ୍ୟେ ନର ଦେହ ବହି ll
ଶାନ୍ତନୁ ନନ୍ଦନ ମୁହିଁ ଗଙ୍ଗା ଦେବୀ ପୁତ୍ର l
ଦେବବ୍ରତ ଭୀଷ୍ମ ଶରଶଯ୍ୟାରେ ଶାୟିତ ll
କଣ୍ଟକିତ ଶଯ୍ୟା ପରେ କଣ୍ଠାଗ୍ରତ ପ୍ରାଣ l
ଏ ମର୍ତ୍ତ୍ୟ ଛାଡ଼ିବି ଚାହିଁ ଉତ୍ତର ଅୟନ ll
ପ୍ରାର୍ଥନା ଏତିକି ପ୍ରଭୋ କଳାକର ମୁଖ l
ଦର୍ଶନେ ତଵ ଖଣ୍ଡଇ କୋଟି ଜନ୍ମ ଦୁଃଖ ll
ଦର୍ଶନ ଦିଅ ହେ ପ୍ରଭୁ ଭୁବନ ମୋହନ l
ମୃତ୍ୟୁଲୋକ ନ ଆସିବି ଆଉ କଦାଚନ ll
ପଦ ତଳେ ଆଶ୍ରା ଦେବ ପ୍ରଭୁ ଚକ୍ରଧର l
ମୋକ୍ଷ ଲଭି ପୁନର୍ଜନ୍ମ ନୋହିବ ମୋହର ll
ତୋର ଆଜ୍ଞା ପାଇ ଧର୍ମରାଜ ଯୁଧିଷ୍ଠିରେ l
ବୁଝାଇ କହିଲି ଧର୍ମନୀତି ସଂକ୍ଷେପରେ ll
ଦିବ୍ୟ ଦୃଷ୍ଟି ପ୍ରଦାନିଲେ ଶ୍ରୀମନ୍ନାରାୟଣ l
ଗାଙ୍ଗେୟଙ୍କୁ ଦେଲେ ବିଶ୍ୱ ରୂପ ଦରଶନ ll
ଭକତ ବତ୍ସଳ ପ୍ରଭୁ ଜୟ ଶ୍ରୀ ଶ୍ରୀକୃଷ୍ଣ l
ହୃଦୟ ପବିତ୍ରେ ଭୀଷ୍ମ ନୟନ ସତୃଷ୍ଣ ll
ଭକତ ମନ ଜାଣିଲେ ଭକ୍ତ ଭାବଗ୍ରାହୀ l
ପ୍ରୟାଣ ଲଭିଲେ ଭୀଷ୍ମ ହରି ହରି କହି ll
