ମୋ ସାଧନାର ପଥେ
ମୋ ସାଧନାର ପଥେ
ମୁଁ ତ ବଞ୍ଚିଛି , ମୁଁ ବଞ୍ଚି ବି ରହିବାକୁ ଚାହୁଁଛି
କାରଣ ଏ ପୃଥିବୀ ଏତେ ସୁନ୍ଦର
ଏ ପବନ ଏତେ କୋମଳ
ଏ ଫୁଲ ଏତେ ମନୋମୁଗ୍ଧକର
ଏ ସମ୍ପର୍କ ସବୁ ଏତେ ମମତା ଭରା
ଏଠି କଷ୍ଟ ଅଛି,ଏଠି ଦୁଃଖ ଅଛି
ହେଲେ ସେ ତ ସବୁ ସାଧନାର
ଗୋଟେ ଗୋଟେ ପାବଛ।
ତାକୁ ଅତିକ୍ରମ କରିବାକୁ ପଡ଼ିବ
ମୁଁ ହସୁଛି , ମୁଁ ଆହୁରି ହସିବି
ମୋର ଶେଷ ନିଃଶ୍ୱାସ ତ୍ୟାଗ ତକ
ମୁଁ ହସିବି, ଜୋର ଜୋର ରେ ହସିବି,
ଏଠି ଲୁହ ବି ତ ଅଛି ,ହେଲେ
ସେ ତ ସବୁ ସାଧନାର ପରୀକ୍ଷା,
ସେଥିରେ ମୋତେ ପାସ୍ ହେବାକୁ ପଡିବ।
ମୁଁ ଭାବୁଛି , ମୁଁ ଆହୁରି ଭାବିବି
ହେଲେ ଆଉ ପୁରାତନ
ଘଟଣା ବଳିର ରୋମନ୍ଥନ କରିବାର
ଆବଶ୍ୟକତା ବୋଧେ ନାହିଁ,
ଭାବିବି ଆଗାମୀ ଦିନର ଯୋଜନାକୁ ନେଇ,
ଏକ ମୁଖ୍ୟ ଭାବନା କୁ ନେଇ,
କାରଣ ସେ ତ ସାଧନାର ଗତିପଥ।
ଭଲ ସମ୍ପର୍କ ଅଛି,ଖରାପ ସମ୍ପର୍କ ବି ଅଛି
ଖରାପ କୁ ତ ନିଶ୍ଚୟ ଛାଡ଼ିବି,
ଯୋର ଜବରଦସ୍ତ ବାହାର କରି
ବାହାରକୁ ଫୋପାଡ଼ି ଦେବି,କାରଣ
ସେଥିରେ ମୋର ଉନ୍ନତିର ଲେଶ ନାହିଁ,
କାରଣ ସେ ତ ସାଧନାର ପ୍ରତିବନ୍ଧକ।
ଭଲ ପାଇବି, ସମସ୍ତଙ୍କୁ ଭଲ ପାଇବି,
ଆଉ କାହାରି ଖରାପ ଗୁଣ ଦେଖିବି ନାହିଁ,
ସେ ଗୁଣ ତ ମୋର ନୁହେଁ,
ସେ ସବୁ ଆଉ କାହାର,
ମୋର କଣ ଯାଏ ଆସେ ସେଥିରେ,
ଏ ତ ସାଧନାର ଗୋଟେ ଗୋଟେ ରହସ୍ୟ l
ଆଲିଙ୍ଗନ କରିବି ସମସ୍ତଙ୍କୁ ଆଲିଙ୍ଗନ କରିବି
ସିଏ ଶୁଭ ଚିନ୍ତକ ହେଉ ବା ଅଶୁଭ ଚିନ୍ତକ ହେଉ,
ସମସ୍ତଙ୍କୁ ଶୁଭେଚ୍ଛା ବାଣ୍ଟିବି
କିଏ ଦେଉ କି ନ ଦେଉ
ଏ କାମ ମୋର ଚୀରନ୍ତନ ହେଉ,
ଏ ତ ସାଧନାର ଏକ ଏକ ପାବଛ।
ମୁଁ ନିରବ ରହିବି ମୋ ପରମ ଆରାଧ୍ୟ ଙ୍କୁ ସ୍ମରିବି,
ସ୍ମରଣରେ ସମସ୍ତଙ୍କ
ମଙ୍ଗଳ କାମନା କରିବି,
କିଏ ମୋ ପାଇଁ କରୁ କି ନ କରୁ,
ଏତ ସାଧନାର ଏକ ଏକ ଉଜ୍ଜ୍ୱଳିତ ଛାୟାପଥ।
ମୁଁ ଲେଖିବି ମୋ ହୃଦୟର ଭାଷା ଲେଖିବି,
ଯୁଗ ଯୁଗ ଧରି ଲେଖିବି,
ମୋ ପ୍ରଭୁଙ୍କୁ ପଢିବାକୁ ଲେଖିବି
କିଏ ପଢିବାର ଆଗ୍ରହ ନେଉ କି ନ ନେଉ l
ଏ ସାଧନା ହେବ ମୋ ଲେଖାର
ଏ ସାଧନା ହେବ ମୋ ବଞ୍ଚି ରହିବାର
ମୋ ନୁତନଜୀବନ ମୂଲ୍ୟାଙ୍କନର
ଆଉ ଆଜି ଦିନର ଏକ ଦୃଢ଼ ମନୋବଳର।
