ମୋ ସ୍ୱପ୍ନ ରାଜ୍ୟେ ବଂଚିବାର ଦିଅ ଅଧିକାର
ମୋ ସ୍ୱପ୍ନ ରାଜ୍ୟେ ବଂଚିବାର ଦିଅ ଅଧିକାର
ହେ ଈଶ୍ବର !!
ପାରିବ ଯଦି ଏତିକି କୃପା ବର୍ଷା କର,
(ମୋ) ସ୍ବପ୍ନ ରାଜ୍ୟେ ବଂଚିବାର ଦିଅ ଅଧିକାର। (0)
ଭଲ-ମନ୍ଦ, ସୁଖ-ଦୁଃଖ, ପାପ-ପୁଣ୍ୟ ଥିବ,
ଏକ ବିନା ଆରେକର ସ୍ଥିତି ଅସମ୍ଭବ।
ଖାଲି ଯାହା ବଣ୍ଟା କୁଣ୍ଟା ଏପାଖ ସେପାଖ
ଏତିକି ଟିକିଏ କାମ ତୁମକୁ କି କଷ୍ଟ ?
କଠୋରତା ଭରିଦିଅ ମାଆର ହୃଦରେ
ସନ୍ତାନକୁ ଶୃଙ୍ଖଳାର ଶିକ୍ଷାଦେବା ବେଳେ।
କ୍ରୁରତାକୁ ଦିଅ ନେଇ କଂସେଇ ହୃଦରେ,
ଫାସି ଦଣ୍ଡ ଦେଉଥିବା ଜଲ୍ହାଦ ମନରେ ।
"ନରେ ବା ଗୁଞ୍ଜରେ ଅଶ୍ୱସ୍ତମା ହତ ପରି",
ମିଥ୍ୟା ରହିଥାଉ ଶାନ୍ତି ପ୍ରତିଷ୍ଠାକୁ ଧରି ।
ଛଳନାକୁ ଭରିଦିଅ ଶିକାର ଚକ୍ଷୁରେ,
ଶିକାରିଠୁ ପ୍ରାଣ ଜଗି ଧାଇଁବାର ବେଳେ।
ଜନ ବସତିରୁ ରୋଗ-ଭୂତାଣୁକୁ ନେଇ,
ଜନଶୂନ୍ଯ ଇଲାକାରେ ରଖିଦିଅ ସାଇଁ ।
କ୍ରୋଧ-ବର୍ବରତା ସବୁ ଏକତ୍ରିତ କରି,
ଦେଶ ରକ୍ଷକ-ସୈନିକ ମନେ ଦିଅ ଭରି ।
ହୀନ ମନ୍ୟତାରେ ଜଳେ ଅସହାୟା ନାରୀ
ତା ହୃଦରେ ଅହଂକାର ବଳ ଦିଅ ଭରି।
ଚୋର-ଖଣ୍ଟ ,ପାପୀ ପ୍ରାଣେ (ଧର୍ମ) ଭୟ ରହୁ ପୂରି,
ଧରଣୀରୁ ପାପ ଭାର ଯାଉ ଅପସରି ।
ବଳକା ଅଦରକାରୀ ସମ୍ପତିକୁ ନେଇ ,
ଦୀନ-ଦୁଃଖୀ ଜନ ଠାରେ ବାଣ୍ଟିଦିଅ ସାଇଁ ।
ଅନାହାର ମୃତ୍ୟୁ ପାଇଁ ଧରିତ୍ରୀ ମାତାର,
ନୟନୁଁ ନଝରୁ ଆଉ ଅଶ୍ରୁ ବିନ୍ଦୁ ଧାର ।
ଅନାହୂତ-ଆତଙ୍କିତ ମୃତ୍ୟୁ ଦିଅ ନାହିଁ
ପ୍ରିୟଜନଙ୍କୁ ହତାଶ-ଅନଳେ ଜଳାଇ।
ଚାହୁଁଚ କରିବ ଯଦି ସଂହାର ଗୋସାଇଁ
ଏକ ସାଥେ ସୃଷ୍ଟି ଦିଅ ପ୍ରଳୟେ ଭସାଇ।