** ମୋ ପରୀ **
** ମୋ ପରୀ **


ଗେଲ ବସରରେ ବଢି ଆସିଥିଲି ମୁଁ ତ ପରୀ ଥିଲି ମାଆ ବାପାଙ୍କ
ଗେଲେ ଡାକୁଥିଲେ ମାଆ ବୋଲି ମୋତେ ସତେ ପରୀ ଥିଲି ମୁହିଁ ତାହାଙ୍କ ।
ଏନ୍ତୁଡି ଶାଳରୁ ଆଜିଯାଏଁ ମୁଁ ଯେ ସାଜିଛି ତାଙ୍କର କୋମଳ କଢି,
ସ୍ଵର୍ଗ ଅପସରୀ ମୁଁ ଯେ ତାଙ୍କ ପରୀ ଗେଲବସରରେ ଆସିଛି ବଢି ।
କେବେ ଯେ କେମିତି ରାଗୁଥିଲା ମାଆ ମୋତେ ନୁହେଁ ମୋର ବାପା ଉପରେ,
କହୁଥିଲା ଗେଲେ ରଖିଛ ଝିଅ କୁ ଆମକୁ ଏବେ ଯେ କିଏ ପଚାରେ ।
ସମୟ ଆସିଲା ଟେକିଦେଲେ ମୋତେ ଅଜଣା ଅଚିହ୍ନା ଯୁବକ ହାତେ ,
କୁନି ପରୀ ଟିଏ ହସିଲା କୋଳରେ ଜୀବନ ସାର୍ଥକ କରିଲା ମୋତେ ।
ନାରୀର ଜୀବନ ହୁଅଇ ସାର୍ଥକ ଯେବେ ମାଆ ଡାକ ଶୁଣେ ତା କାନେ ,
ବାପା ମାଆ ହେଲୁ ଆନନ୍ଦେ ନାଚିଲୁ ଲକ୍ଷ୍ମୀ ବିଜେକଲେ ବୋଲି ଜୀବନେ ।
ବାପା ମାଆ ଖୁସି ହେଉଥିଲେ ବେଶୀ କହିଲେ ମୋ ପରୀ ମାଆ ହୋଇଲା ,
ଖୁସିରେ ନାଚିଲେ ଆମେ ବି ନାଚିଲୁ ପିଲାଦିନ କଥା ମନେପଡିଲା ।