Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Tragedy Others

5.0  

Bauribandhu Lenka

Tragedy Others

ମୋ ପିଲାଦିନ ଶୀତ

ମୋ ପିଲାଦିନ ଶୀତ

1 min
405



ଆସିଗଲେ ଶୀତଦିନ

ମନେପଡେ ପିଲାଦିନ

ଧୁନିଲଗା ନିଆଁପୁଆଁ

ଆଉ କେତେ କଥାମାନ ॥


ଆମ ସାଇ ପୂର୍ବ ପଟେ

ଥିଲା ଏକ ଆମ୍ବଗଛ

ସକାଳ ଖରାଟା ସେଠି

ପଡୁଥିଲା ହୋଇ ସ୍ୱଚ୍ଛ ॥


ଆମେ ସବୁ ପିଲାମାନେ

ଖରା ପୁଆଁଇବା ପାଇଁ

ସକାଳୁ ସକାଳୁ ଉଠି

ବସୁଥିଲୁ ସେଠି ଯାଇ ॥


ପାଖ ବାଉଁଶ ବୁଦାରୁ 

ଶୁଖିଲା କରଡି କଣି

ଶୁଖିଲା ଆମ୍ବ ପତର

ଆଣି କରୁଥିଲୁ ଧୁନି ॥


ବାଉଁଶଗଛରୁ ଆମେ 

ଭାଙ୍ଗୁଥିଲୁ ଦାନ୍ତକାଠି

ଦାନ୍ତଘଷି ସାରି ସେଠି

ଖେଳୁଥିଲୁ ଗୁଲିବାଟି ॥


ସକାଳୁ ପଢିବା ପାଇଁ

ନଥିଲା କାହାରି ଚାପ

ଖେଳ ଖରାପୁଆଁ ସାରି

କରୁଥିଲୁ ମଜ୍ଜାଗପ ॥


ନଳୁଆ କେଳାଙ୍କ ଦଳ

ସେହି ଆମ୍ବଗଛ ମୂଳେ

ରହୁଥିଲେ ପ୍ରତିବର୍ଷ

ଆସି ଏହି ଶୀତ କାଳେ ॥


ସେମାନଙ୍କ ବଙ୍କା ତେଢା

କଥା ଶୁଣି ଲାଗେ ମଜ୍ଜା

ତାଙ୍କ ପାଖେ ବସି କଥା

ହେଉଥିଲେ ଆମ ଅଜା ॥


କେଳୁଣୀମାନେ ଯାଆନ୍ତି

ଗାଆଁକୁ ପସରା ନେଇ

ପସରାରେ ମନୋହରି

ଜିନିଷମାନ ସଜେଇ॥


ନଳ ଧରି କେଳାମାନେ

ଯାଆନ୍ତି ଚଢେଇ ମାରି

ଅନ୍ଧାର ହେବା ପୂର୍ବରୁ

ଆସନ୍ତି ସେଠାକୁ ଫେରି ॥


ସଂଜ ଆସିବା ପୂର୍ବରୁ

ଦିନ ଯାଉଥାଏ ଗଡି

ମୁଢି ଆଉ ମୁଆଁ ଧରି

ଆସେ ଗୁଡିଆଣୀ ବୁଢି ॥

ମୁଢି ମୁଆଁ ଖାଇବାକୁ

ବୋଉ ପାଖେ କରୁ ଅଳି

କିଣିଦିଏ ବୋଉ ମୁଢି

ଧାନ କି ବିରି ବଦଳି ॥


ପୁଷ ଆଉ ମାଘ ମାସ

ହେଉଥିଲା ଭାରି ଜାଡ

ବୁଢା ବୁଢୀଙ୍କର କାଳ

ଭାଙ୍ଗିଦେଉଥିଲା ହାଡ ॥


କମ୍ବଳ ଅବା ରେଜେଇ

ନଥିଲା ସବୁରି ଘରେ

କାମ ଚଳି ଯାଉଥିଲା

ମସିଣା ଆଉ ହେଁସରେ ॥


ଆଜି ପରି ସେ କାଳରେ

ନଥିଲା ପାଖରେ ଧନ

ଅଭାବ ଥାଇ ବି ଘରେ

ଖୁସି ରହୁଥିଲା ମନ ॥


ଶୀତ ଦିନ ପ୍ରତିବର୍ଷ

ଆସେ ଯାଏ ଏହିପରି

ହେଲେ ମୋର ପିଲା ଦିନ

ଆସୁନି ତ ଥରେ ଫେରି ॥

****


Rate this content
Log in

Similar oriya poem from Tragedy