ମୋ ପାଇଁ ତୁ
ମୋ ପାଇଁ ତୁ
ଝରା ମଳୟର ବାସ୍ନାରେ ବିଭୋର,
ମନ ଗହନରେ ପଶି ଆସି
ତୁମେ ମୋତେ କରିଥିଲ
ବିବଶ, ଅଣାୟତ୍ତ ଆଉ ଦୁର୍ବଳ ,
ନିଜ ବକ୍ଷରେ ଜଡାଇ ଧରି
ଦେଲ ସ୍ବର୍ଗର ସନ୍ଧାନ ll
ସ୍ଵପ୍ନ ସବୁ ଭାସି ଚାଲିଥିଲା
କାଳର କରାଳ ଭିତରେ ,
ଧୂଆଁଳିଆ ବାଦଲ ଉହାଡୁ
ଉଙ୍କି ମାରି ହସୁଥିଲା ଜହ୍ନ
ନିଲଜି ଓଠଚପା ହସ ଭିତରେ ll
ବକ୍ଷର ଉନ୍ମାଦନା,
ଦେହର ବାସ୍ନାରେ ବିଭୋର
ମତ୍ତହସ୍ତୀ ଭଳି କାମନା ନିଆଁରେ
ସ୍ବତଃଦହନ ହେଉଥିବା
ଏକ ପାଗଳପ୍ରାୟ ଦାନବର ,
ନିର୍ଝର ହସ୍ତାକ୍ଷର ll
ନିଜେ ଢେର୍ ଜଳିଛ
ମୋତେ ଆଲୋକିତ କରିବା ପାଇଁ ,
ନିନ୍ଦା ଅପବାଦ ସହିଛ
ମୋର ମଙ୍ଗଳ ପାଇଁ
ପ୍ରେରଣା ଦାୟିନୀ ମୋ ବାକସିଦ୍ଧା,
ନାରୀ ନୁହେଁ ତୁ ନାରାୟଣୀ ll
ଜୀବନେ ଭରିଛ ସାତରଙ୍ଗ,
ଅଧିକ ରଙ୍ଗୀନ୍ ହୋଇ ଉଠିଛି ,
ତୁମ ସ୍ନେହ ଶ୍ରଦ୍ଧା ପ୍ରେମ ପାଇ
ମୋ ଜୀବନ ମୋଡରେ ତୁମେ
ଇପ୍ସିତ ନାୟିକା
ଅବାଞ୍ଛିତ ପ୍ରାପ୍ତି ll
ତୁମ ବିନା
ଶୂନ୍ୟ ଶୂନ୍ୟ ମହାଶୂନ୍ୟ
ପୂର୍ଣ୍ଣତାର ତୁମେ ମହାଦ୍ରୁମ ,
କାମଧେନୁ ମୋ ପାଇଁ
ବଞ୍ଚିବାର ନାହିଁ ପ୍ରୟୋଜନ
ତୁମେ ନ ଥିଲେ ଅସାର ଜୀବନ,
ଧନ୍ୟ ନାରୀ ତୁମେ ଧନ୍ୟ ll

