ମୋ' ଓଡ଼ିଶା ମାନଚିତ୍ର
ମୋ' ଓଡ଼ିଶା ମାନଚିତ୍ର
ଓଡ଼ିଶା ରାଜ୍ୟରେ କେତେ କଳା ଥିଲା
ଲୁପ୍ତ ପ୍ରାୟ ହୋଇଲାଣି ,
ଛଉ ନୃତ୍ୟ ଆଉ ବାଉଁଶ ରାଣୀକୁ
ଲୋକେ ପ୍ରାୟ ଭୁଲିଲେଣି ।
ମନ୍ଦାର ମାଳିନୀ ମନ୍ଦିର ଗୁଡିକ
ଧ୍ବସ୍ତ ବିଧ୍ବସ୍ତ ହେଲାଣି ,
ସବୁଜିମା ଭରା ଗାଆଁ ,କ୍ଷେତ, ବାଡ଼ି
ପଡିଆ ପଡ଼ି ଗଲାଣି ।
ଓଡ଼ିଶା ଭୁଇଁର ତାରକସୀ କାମ
ପୃଥିବୀ ବିଖ୍ୟାତ ଥିଲା ,
ରକ୍ଷଣା ବେକ୍ଷଣ ପ୍ରେରଣା ଅଭାବେ
ଶିଳ୍ପୀ ହାତ ଆଜି ଖୋଲା ।
ମୋ' ଓଡ଼ିଶା ଭୂଇଁ ଚାରୁ ଚିତ୍ର କଳା
ସପ୍ତାଶ୍ଚର୍ଯ୍ୟ କଳାକୀର୍ତ୍ତି ,
କୁଆଡେ ସେ' ଶିଳ୍ପୀ ଉଭେଇ ଗଲେଣି
ଭଗ୍ନ ଆଜି ଶିଳା ମୂର୍ତ୍ତି ।
ଶିଳାଗାତ୍ରେ ଆଜି ବାହୁନି କାନ୍ଦୁଛି
ଅପରୂପା ଶିଳାବାଳା,
ନିୟତିର କ୍ରୁର ପରିହାସେ ଆଜି
ଝରେ କୋଣାର୍କର କଳା ।
ପ୍ରତିଟି ପ୍ରତିମା ଲାଗଇ ଶ୍ରୀହୀନା
ଭଗ୍ନାବଶ ଅଛି ସାକ୍ଷୀ ,
ଚନ୍ଦ୍ରଭାଗା ଗଣ୍ଡ ଜଳ ଧୋଇନେଲା
କାଳଚକ୍ର ବଇଶାଖୀ ।
ମରାଳ, ମାଳିନୀ ନୀଳାମ୍ବୁ ଚିଲିକା
ହ୍ରଦ ଓଡ଼ିଶା ବିଖ୍ୟାତ ,
ଦଲାଲିଙ୍କ ପକ୍ଷୀ ,ମାଛ ଶିକାରରେ
ଚିଲିକା ଶୋଭା ବିଲୁପ୍ତ ।
ଭରା ପଡ଼ିଥିଲା ଖଣିଜ ସମ୍ପଦ
ଅବଶେଷ ଅଛି ବାକି ,
କର୍ପୁର ଉଡ଼ିଛି କନା ପଡିଅଛି
ଇତିହାସ ଅଛି ସାକ୍ଷୀ ।
ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ନୃତ୍ୟର
ଆଜି'ବି ଚାହିଦା ଅଛି ,
ସମ୍ବଲପୁର'ର ବସ୍ତ୍ର ଶିଳ୍ପ ପାଇଁ
ବିଦେଶେ ନାମ କରୁଛି ।
କେତେ ସୂର, ବୀର ଓଡ଼ିଶା ମାଟିରେ
ପାଦଥାପି ଜନ୍ମିଥିଲେ ,
ମାଆ ମାଟି ପାଇଁ ପ୍ରାଣ ବଳି ଦେଇ
ସ୍ୱାଧୀନତା ଆଣିଥିଲେ।
ପ୍ରତିଟି ପୃଷ୍ଠାରେ ରାଜା ଠାରୁ ନେଇ
କବିଙ୍କ ଗୌରବ କଥା ,
ଅର୍ଜିଛି ସୁନାମ ଦେଶ ବିଦେଶରେ
ଉତ୍କଳୀୟ କୀର୍ତ୍ତି ଗାଥା ।
ଚାରିଧାମ ମଧ୍ୟେ ଧାମ ଜଗନ୍ନାଥ
ପାଇଁ ଓଡ଼ିଶା ବିଖ୍ୟାତ ,
ଓଡ଼ିଶା ମୋ' ମାଟି ମୋ' କାଳିଆ ପାଇଁ
ତଥାପି ଆଜି ଗର୍ବିତ।
