ମୋ ନାମ ହଳଦୀବସନ୍ତ
ମୋ ନାମ ହଳଦୀବସନ୍ତ


ଆସ ଆସ ପିଲେ ଦେଖିବ କିଏ l
ହଳଦୀ ରଙ୍ଗର ଚଢ଼େଇ ଟିଏ ll
ସୁନ୍ଦର ଥଣ୍ଟ ତା ହିଙ୍ଗୁଳ ବୋଳା l
ମଥାରେ ପିନ୍ଧିଛି ଟିପାଏ କଳା ll
ନହକା ନହକା ଗୋଡ଼ ଦୁଇଟା l
ସୁସ୍ୱରେ ରାବଇ ବୁକୁଚା ଫିଟା ll
ଉଡ଼ି ଉଡ଼ି ବୁଲେ ଡାଳକୁ ଡାଳ l
ଆମ୍ବ ଛୁରୀଅନା ତାଳ ତମାଳ ll
ହଳଦୀ ଡେଣା ତା କଜ୍ଵଳ ମିଶା l
ଚୂତ ତରୁ ଡାଳେ ବାନ୍ଧିଛି ବସା ll
ବସା ଭିତରେ ତା ତିନି ଶାବକ l
ଖୁଆଇ ଦିଅଇ ପତଙ୍ଗ ପୋକ ll
ମାଆର ମମତା ଅମୂଲ୍ୟ ସିନା l
ମାଆ ପରି ଆଉ କିଏ ଅଛିନା ll
ଖଣ୍ଡି ଉଡ଼ା ଦେବେ ଦିନ ଅଳପ l
କେଉଁଆଡ଼େ ଗଲା ଛୁଆଙ୍କ ବାପ ll
ମାଙ୍କଡ଼ଟା ଆସି ସାଧିଲା ବାଦ
l
ଚଢ଼େଇକି ପଡ଼ିଗଲା ପ୍ରମାଦ ll
ନେହୁରା ହେଉଛି ବାନର ଭାଇ l
ହାତଯୋଡ଼ି ବାଦ ନ କର ତୁହି ll
ହଇରେ ପକ୍ଷୀ ତୁ କୁଆଡ଼େ ଥାଉ l
ବସନ୍ତେ ବାସନ୍ତୀ ବାରତା ଗାଉ ll
ଆରେ ପକ୍ଷୀ ତୁହି କେଡ଼େ ସୁନ୍ଦର l
ନାମ କହିବୁ କି ବିହଙ୍ଗ ତୋର ll
ଶୁଣ ଶୁଣ ଶୁଣ ଶୁଣରେ ଭାଇ l
ମୋ ନାମ ହଳଦୀ ବସନ୍ତ କହି ll
ଆମ୍ବ ବଉଳଇ ଫଗୁଣ ମାସେ l
ବସନ୍ତ ବାରତା ଦେବାକୁ ଆସେ ll
ବ୍ୟୋମଚାରୀ ମୁହିଁ ମୁକ୍ତ ବିହଙ୍ଗ l
ଆହାର ମୋ ଫଳ ପୁଷ୍ପ ପତଙ୍ଗ ll
ଉଡ଼ି ବୁଲେ ତରୁ ଲତା କାନନ l
ନମଃ ନମଃ ପ୍ରଭୁ ବିଶ୍ଵ ଜୀବନ ll