ମୋ ମାଆ
ମୋ ମାଆ
ବାତ୍ସଲ୍ୟ ମୟୀ ମା ମମତା ମୟୀ ମା
ପଣତ ଆଶିଷ ଦାୟୀ
ତୁହି ସୃଷ୍ଟିକର୍ତ୍ତୀ ତୁହି ଜନ୍ମଦାତ୍ରୀ
କଥା ସଦା ସ୍ନେହମୟୀ ।
ଅନ୍ତ ଫାଡି ମୋତେ ଜନ୍ମ ଦେଲୁ ସତେ
ସହିଛୁ କଷଣ କେତେ
ନୂଆ ଆଲୋକର ଦୁନିଆଁ ପଥରେ
ଶିଖାଇଲୁ ଚାଲି ମୋତେ ।
ଦେଇନାହୁଁ ଦିନେ କଷଣ ତୁ ମନେ
ସହି ଘାତ ପ୍ରତିଘାତ
ପେଟ ପାଟି ମାରି ମଣିଷଟେ ଗଢି
ଦେଖାଉ ସଂସାର ପଥ ।
ବିପଦ ଆପଦେ ତୋ କାନି ପଣତ
ହୋଇଛି ମୋହର ସାହା
ଆଶୀର୍ବାଦ ତୋର ମୁଣ୍ଡେ ସଦା ମୋର
ବିଜୟ ପଥର ରାହା ।
ଭାବିନାହୁଁ କେବେ ପାଇବାକୁ କିଛି
କର୍ତ୍ତବ୍ୟରେ ନାହିଁ ହେଳା
ସହି ଦୁଃଖ କଷ୍ଟ ଡାକି କେତେ ଇଷ୍ଟ
ମନାସୀ ମଙ୍ଗଳ ଭେଳା ।
ଆମ ଦୁଃଖେ ଦୁଃଖୀ ଆମ ସୁଖେ ସୁଖୀ
ଭୁଲେ ତା ଜୀବନ ସୁଖ
ସ୍ନେହ ମମତାର ପ୍ରତି ଛବି ଟିଏ
ଭାଳେ ମୁଁ ଜୀବନ ଯାକ ।