STORYMIRROR

Nrusingha Narayan Tripathy

Inspirational Children

4  

Nrusingha Narayan Tripathy

Inspirational Children

ମୋ ଜିଲ୍ଲା ପୁରୀ

ମୋ ଜିଲ୍ଲା ପୁରୀ

1 min
191


ଯେଉଁଠି ମୋହର ଜନମ ହୋଇଛି

ପୁଣ୍ୟ କ୍ଷେତ୍ର ପୁରୀ ଧାମ

ଜିଲ୍ଲା ଅଟେ ମୋର ପୃଥିବୀ ପ୍ରସିଦ୍ଧ

ଶଙ୍ଖକ୍ଷେତ୍ର ତାର ନାମ ll


ଜଗତର ନାଥ ପ୍ରଭୁ ଜଗନ୍ନାଥ

ପୁରୀ ଧାମେ ବିରାଜିତ

ଜଗନ୍ନାଥ ଧାମ ଶ୍ରେଷ୍ଠ ତୀର୍ଥ ସ୍ଥାନ

ଭାରତ ବର୍ଷେ ବିଦିତ ll


ଅର୍କକ୍ଷେତ୍ର ଠାରେ ସୂର୍ଯ୍ୟଙ୍କ ମନ୍ଦିର

କାରୁକାର୍ଯ୍ୟ ଆକର୍ଷକ

ସ୍ଥାପତ୍ୟ କଳାର ନିଖୁଣ ଦର୍ଶନ

କଳା ପାଗୋଡା କୋଣାର୍କ ll


ରାମଚଣ୍ଡୀ ଠାରେ ନଦୀ ଓ ସମୁଦ୍ର

ସଙ୍ଗମ ସ୍ଥଳର ସ୍ଥାନ

କରେ ଆକର୍ଷଣ ପର୍ଯ୍ୟଟକ ଧ୍ୟାନ

ଦେଖିଲେ ନ ଭୁଲେ ମନ ll


ସମୁଦ୍ର ତଟର ନୀଳ ଉର୍ମିମାଳା

ବଉଦ ସାଗର ପ୍ରୀତି

ପୁରୀର ସମୁଦ୍ର ଯାତ୍ରୀଙ୍କ ମନଙ୍କୁ

ଦେଇଥାଏ ଆତ୍ମତୃପ୍ତି ll


ସାତପଡ଼ା ଠାରେ ଚିଲିକା ହ୍ରଦର

ନୌକା ବିହାରର ମଜା

ନୀଳ ଜଳ ପରେ ଡ଼ଲଫିନ ଦେଖା

କରିଥାଏ ଦେହ ତାଜା ll


କାକଟପୁର ର ମଙ୍ଗଳା ମନ୍ଦିର

ଦେଵୀଧାମେ ପରିଚିତ

ସଙ୍କଟ ହାରିଣୀ ଦୁଃଖ ବିନାଶିନୀ

ଓଡିଶା ରାଇଜେ ଖ୍ୟାତ ll


ପଞ୍ଚ ସଖା ନାମେ ବିଦିତ ପ୍ରଦେଶେ

ବଳରାମ, ଜଗନ୍ନାଥ

ଅଚ୍ୟୁତ, ଅନନ୍ତ,ଯଶୋବନ୍ତ ଦାସ 

ସେମାନେ ଦେଶେ ବିଖ୍ୟାତ ll


ଗୋପବନ୍ଧୁ, କୃପାସିନ୍ଧୁ, ହରିହର

ଗୋଦାବରୀଶ ସେବକ

ନୀଳକଣ୍ଠ ଦାସ ଜିଲ୍ଲାର ନାୟକ

ସାକ୍ଷୀଗୋପାଳ ର ଟେକ ll


ନିମାପଡା ଝିଲ୍ଲୀ ପିପିଲି ଚାନ୍ଦୁଆ

ଚନ୍ଦନପୁରର ପାନ

ପ୍ରାଚୀନ ପୋଥିର ବେଗୁନିଆ ଗାଦୀ

ଜିଲ୍ଲାରେ ରଖଇ ମାନ ll


ପ୍ରାଚୀ ନଦୀ କୂଳେ ଗ୍ରାମଟି ମୋହର

ଗୋତୀର୍ଥ ମହାନକ୍ଷତ୍ର

ଦେବ ମହାଦେବ ଶ୍ରୀ ଅମରେଶ୍ୱର

ସ୍ଥାନର ସେ ଅଧିଶ୍ୱର ll


ଏଗାର ବ୍ଲକରେ ଗଠିତ ଆମର

ପୁରୀ ଜିଲ୍ଲା ମହାଧାମ

ଜିଲ୍ଲା ପାଇଁ ଆମେ ମନରେ ଗର୍ବିତ

ରଖିବୁ ଜିଲ୍ଲାର ନାମ ll



Rate this content
Log in

Similar oriya poem from Inspirational