ମୋ ଗାଁର ସଞ୍ଜ
ମୋ ଗାଁର ସଞ୍ଜ
ବାରୁଣି କୋଳେ ଅସ୍ତଗାମୀ ସୂର୍ଯ୍ୟର ସ୍ତିମିତ ଆଭା କି ସୁନ୍ଦର
ଦିନ ଅନ୍ତେ ବିଶ୍ରାମ ଯାନ୍ତି ସେ ମନେ ଭରି ଉଦୟ ସମ୍ଭାର।
ସନ୍ଧ୍ୟା, ତୁମ ଆଗମନେ ଘରକୁ ଫେରେ ନୀଡ ବାହୁଡା ପକ୍ଷୀ
ନୀଡେ ପ୍ରତୀକ୍ଷିତ ଶାବକ ଆନନ୍ଦେ ବିଭୋର ମାଆକୁ ଦେଖି।
ତୁମ ପ୍ରତୀକ୍ଷାରେ କେବେ ଯଦି କାମଧେନୁ ଯାଏ ବାଟ ହୁଡି
ଗୋଧୂଳି ଲଗନେ ବାଛୁରିଟା ମାଆ ବିନା ଛାଡେ ହମ୍ମା ରଢି।
ଏକ ହାତେ ଲଣ୍ଠନ ଆର ହାତେ ବହି ଧରି ବାଳକ ବାଳିକା
ଚାଲନ୍ତି ଚାଟଶାଳୀ ଅଭିମୁଖେ ପଢି ଲେଖି ବଢିବାକୁ ଏକା।
ବାଜି ଉଠେ ଘଣ୍ଟ କରତାଳ ମୃଦଙ୍ଗର ସ୍ବର ଆହା କି ମଧୁର
ସନ୍ଧ୍ୟାଦର୍ଶନ ବେଳେ ସନ୍ଧ୍ୟାଧୂପ ମହକରେ ପ୍ରକମ୍ପିତ ମନ୍ଦିର।
ଟୁଙ୍ଗି, ଆଶ୍ରମ ଅବା ମଠରେ ଗୁଞ୍ଜରିତ ହୁଏ ଖଞିଣି ର ସ୍ବର
ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ହେଉ ଉଦ୍ଧାର।
ଅନ୍ଧ କବି ଭୀମଭୋଇଙ୍କର ସ୍ତୁତି ଚିନ୍ତାମଣି ଚେତନାରେ ଭରା
ସନ୍ଧ୍ୟା ଜଣାଣରେ ପଢିଲେ ତାକୁ ମନ ଚୈତନ୍ଯ ହୁଏ ପରା।
ଭାଗବତ ଟୁଙ୍ଗୀରେ ଜଗନ୍ନାଥ ଦାସଙ୍କ ବାଣୀ ଗୁଞ୍ଜରିତ ହୁଏ
ଲକ୍ଷ୍ମୀ ପୁରାଣରୁ ସଦାଚାର ବାଣୀ ମନ ହୃଦୟକୁ ଛୁଇଁଯାଏ।
ସବିତାର ବିଦାୟ ନେଇ ଚାଲିଯିବ ତୁମେ ଜହ୍ନର ଓଢଣୀକୁ
ଚିକ ମିକ ତାରା ମେଳେ ହଜିଯିବ ପୁଣି ରାତିର ଛାତି ତଳକୁ।
