ମୋ ଗାଆଁ ଦୋଳ ଝୁଲଣ
ମୋ ଗାଆଁ ଦୋଳ ଝୁଲଣ
ବରଷକେ ଥରେ ମୋ ଗାଆଁ ଦାଣ୍ଡରେ
ହୁଅଇ ଦୋଳ ଝୁଲଣ,
ଶତ ବରଷର ସଂସ୍କୃତି ଆମର
ଆଜି ବି ଜିଇଁଛି ଜାଣ ।
ଚନ୍ଦର ଶେଖର ଝୁଲନ୍ତି ବିମାନେ
ପତ୍ନୀ ପାରବତୀ ସାଥେ,
କେତେ ପରକାର ବାଦ୍ୟ ବାଜେ ତାର
ମାଦଳ, ଘଣ୍ଟ ସହିତେ ।
ଫୁଲହାର ମୟ ଦିଶଇ ବିମାନ
ସତେ ଅବା ପୁଷ୍ପଗୁଚ୍ଛ,
ନବୀନ ବସନେ ସେ ଗୋପାଳ ଜନେ
ଦେଖାନ୍ତି ବିମାନ ନାଚ ।
ନାମ ସଂକୀର୍ତ୍ତନେ ଗଗନେ ପବନେ
ଭାସୁଥାଏ ନାମ ରସ,
କେଡେ ମନୋହର ସତେ ନୃତ୍ୟ ତାର
ସାଥେ ଭଳି ଭଳି ବେଶ ।
ଛତୁରୀ, ତରାସ ଥାଏ ଚଉପାଶେ
ଯାଏ ପାଟ ଛତା ପରି,
କି ସୁନ୍ଦର ଆହାଃ ଏଇ ପଟୁଆର
ଦେଖି ପ୍ରାଣ ଯାଏ ଭରି ।
ଘୋଡା ନାଚ ସାଥେ ଷଣ୍ଢ ବୁଢା ବୁଢ଼ୀ
ମାଦଳ, ଢୋଲ, ମହୁରୀ
ଦରଶନ ପାଇଁ ଆସନ୍ତି ଯେ ଧାଇଁ
କେତେ ଦୂରୁଁ ନର ନାରୀ ।
ମଣିଷ ଗହଳେ ପୂରିଯାଏ ଦାଣ୍ଡ
ଦିଶେ ମୁଣ୍ଡ ମାଳ ମାଳ,
ଝୁଲଣ ଚାଲଇ ସାରା ରାତି ଯହିଁ
ହୁଅଇ ମନ ବ୍ୟାକୁଳ ।
ପୂରିଯାଏ ଘର ଭିତର ବାହାର
ଦିଅଁ ଦରଶନ ପାଇଁ,
ଲୋକେ ଥା'ନ୍ତି ଧାଇଁ ଆତୁର ଯେ ହୋଇ
କେତେ ମାନସିକ ନେଇ ।
ଜଳଖିଆ, ପାନ ଖେଳନା ଦୋକାନ
ପଡଇ ପସରା ମେଲି,
ଦୋଳ ମଣ୍ଡପେ ଯେ ହୁଏ ପାଞ୍ଜି ପାଠ
ନୂତନ ପଞ୍ଜିକା ଖୋଲି।
ନିଆଳି ମାଟିର ନିଆରା ଝୁଲଣ
ସଦା ଉଚ୍ଚେ ଯା'ର ଥାନ,
ଭାଇଚାରା ଗାଆଁ ବରିମୁଣ୍ଡେଇ ଏ
ରଖିଛି ତାହାର ମାନ।
