STORYMIRROR

Krushna Chandra Lenka

Abstract Drama Classics

3  

Krushna Chandra Lenka

Abstract Drama Classics

ମୋ ଗାଆଁ ବିଳାସୀ ତରୁଣ

ମୋ ଗାଆଁ ବିଳାସୀ ତରୁଣ

2 mins
252

ମୋ ଗାଆଁ ବିଳାସୀ ତରୁଣ ନିତି ବସିଣ ଖାଏ,

ସଂସାର, ସମାଜ, ଜଗତ ବାରେ କିସ ତା' ଯାଏ!


ନିତି ଖାଇ ଗଣ୍ଡେ ପଖାଳ ଭରି ତାର ଉଦର,

ସଅଳ ଗାଧୋଇ ଆନନ୍ଦେ ଘରୁ ଯାଏ ବାହାର।


ସତେ ଅବା ଏକ ଚାକିରୀ କରି ଅଛି ଯେମନ୍ତ,

ଭୁଞ୍ଜଇ ଚଞ୍ଚଳ ଆହାର ବଡ଼ ହୋଇଣ ବ୍ୟସ୍ତ।


ଖାଦ୍ୟ ପରିବେଷଣ କାଳେ ହେଲେ ବିଳମ୍ବ ତିଳେ,

କି'ରୂପ ତାହାର ଯେମନ୍ତ ଗୃହ ତା ପାଇଁ ଚଳେ !


ଭାଳି ନାହିଁ ତିଳେ ତା'ମନେ କାହୁଁ ମିଳେ ଆହାର,

କେତେ କ୍ଳେଶ ସହି ଜୀବନେ ବାପା ଚଳାଏ ଘର।


ବୃଦ୍ଧ କାଳେ ଦେଖ ନିଇତି ପିତା ଲାଗଇ ମୂଲ,

ଖାଇ ପିଇ ଆନନ୍ଦେ ବସି ପୁଅ କାଢୁଚି ଢୋଲ।


ଭୋଜନ କାଳେ ପୁତ୍ର ମୁଖ ତିଳେ ଦିଶଇ ଘରେ,

ତା'ପରେ କାହୁଁଯେ ମିଳଇ ଯେତେ ଖୋଜିଲେ ତାରେ !


ବିନା କାରଣେ ଯେ ବସଇ ଗୃହେ ଦିବସ ଭରି,

ମନ୍ଦ ବୁଦ୍ଧି ମୁଣ୍ଡେ ପ୍ରବେଶି ତୁଟି ଯାଏ ତା'ଶିରୀ।


ଥୋକେ ଯାଇ ଖଟି କରନ୍ତି ଛକ ଦୋକାନେ ବସି,

ନିତି ପର ଘର ଚରଚା କରି ହୁଅନ୍ତି ଖୁସି।


ଯେକାଳେ ଯୁବକ ଜିଣଇ ବିଶ୍ୱେ ସବୁରି ମନ,

ସେକାଳେ ମୋ ଗାଆଁ ତରୁଣ କାଟେ ବିଳାସେ ଦିନ।


ପର ଛିଦ୍ର ଉଣ୍ଡି ଜୀବନେ କିସ ପାଉ ତୁ ଯଶ,

ଛିଦ୍ରମୟ ହୁଏ ତୋ'ଘର ଜାଣୁ ନାହୁଁ ତୁ କିସ!


ଯେଦେଶେ ଯୁବକ ପୁସ୍ତକ ଧରି ଥାଆନ୍ତି ହାତେ,

ସେଦେଶେ ମୋ ଗାଆଁ ତରୁଣ ହାତେ ବାଲଟି,ବ୍ୟାଟେ।


ମୋବାଇଲ ତାହାର ସାଥୀ ଏଠି ହୋଇଚି ଯେତେ,

ପ୍ରିୟ ପରିଜନ ସହିତେ ନାହିଁ ସମ୍ପର୍କ ସେତେ।


ରଜନୀ ଦିବସେ ନିଇତି ଲୋଡ଼େ ମାଉଁସ ମଦ,

ସୁରାପାନ ପରେ ଗାଁ'ଦାଣ୍ଡେ ଶୁଭେ ଅଶ୍ରୀଳ ନାଦ।


ଯାତରା ପୁନିଅଁ ପରବେ ମଦ ଲୋଡ଼ଇ ବେଶୀ,

ପ୍ରଥା ପରମ୍ପରା ସେପାଇଁ ଗ୍ରାମେ ବୁଡଇ ଆସି।


ନିଶାମୁଖେ ଥୋକେ ଦେଉଳେ ବସି ଖେଳନ୍ତି ପସା,

ସଞ୍ଜ ଆଳତି କାଳେ ପସା ଖେଳେ ଥାଏ ତା'ନିଶା।


ବାପ ଗୋସିବାପ ତୋହର କେଡେ କରମ ବୀର,

ତା'ସନ୍ତାନ ହୋଇ କେମନ୍ତ ଭୀରୁ ହେଲୁ କୁମର!


ଯୁବ ସୁଲଭ ଗୁଣ ଏଠି କାହିଁ ନାହିଁ ତୋ ପାଶେ,

ନିଶା କବଳେ ପଡି ତୁହି କିସ କଲୁ ଏ ଦେଶେ !


କିସ ଶିକ୍ଷା ତୋଠୁଁ ପାଇବେ ତୋର ଉତ୍ତର ପିଢୀ,

ଯା'ର ଭବିଷ୍ୟତ ତୋ'ପାଇଁ ସିନା ଯିବ ବିଗିଡି।


ବଦଳା ତୋହର ସ୍ଵଭାବ ଏଠି ସମ୍ଭବ ଯେତେ,

ତୋ'ପାଇଁ ବଦଳିବ ଦେଶ ସିନା ସଅଳ ସେତେ।


ଜାଗିଲେ ଯୁବକ ଏଦେଶେ ସିନା ଜାଗିବ ଦେଶ,

ତେବେ ସିନା ଜାଣ ହୋଇବ ଆମ ଦେଶ ବିକାଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract