ମୋ ଭଉଣୀ ସୁଗୁଣେ ହଜାରରେ ଜଣେ
ମୋ ଭଉଣୀ ସୁଗୁଣେ ହଜାରରେ ଜଣେ
ଭଉଣୀ ପରି ଭଉଣୀଟିଏ ମୋ ଭଉଣୀ
ଆମ ପରିବାରର ସେ ସୁନାନାକୀ ସୁଲକ୍ଷଣୀ
ସଭିଏଁ ଭଲ ପାଆନ୍ତି ତାକୁ ହୃଦୟ ଦେଇ
ଖୋଜେ ଯା' ବାପା ମାଆ ଦିଅନ୍ତି ଆଣି
ହସ ଖୁସିରେ ରହେ ସେ ସବୁରି କଥା ଶୁଣି
ପଢ଼େ ଘରକାମ କରୁଥାଏ ଆମର ମନ ଜାଣି
ମାନ ଅଭିମାନେ ରୁଷି ବସେନା ଘର କୋଣେ
ମୋ ଭଉଣୀ ସୁଗୁଣେ ହଜାରରେ ଜଣେ
ଆଚାରରେ ସେ ଲକ୍ଷ୍ମୀ ବିଚାରରେ ସରସ୍ୱତୀ
ସରଳା ନିରୀହା ମିଷ୍ଟ ଭାଷିନୀ ବୁଦ୍ଧିମତୀ
କହେ ସେ ମୁଁ ତାର ସବୁଠୁ ଭଲ ଓ ପ୍ରିୟ ଭାଇ
ମୋ ପାଇଁ ଶୁଭ ମନାସେ ଦିଅଁଙ୍କୁ କରେ ଭକ୍ତି
ମୋ ଲାଗି ସେ ବହୁମୂଲ୍ୟର ହୀରା ନୀଳା ମୋତି
ବଜାଇ ରଖିଛି ସେ ଆମର ସୁନାମ ଖ୍ୟାତି
ସ୍ନେହ ଶ୍ରଦ୍ଧା ବାଣ୍ଟୁଥାଏ ଏକ ମନ ଏକ ପ୍ରାଣେ
ମୋ ଭଉଣୀ ସୁଗୁଣେ ହଜାରରେ ଜଣେ
ଆସିବ କେବେ ପୁଣ୍ୟ ପବିତ୍ର ରାକ୍ଷୀ ପୁନେଇଁ
ମୋ ହାତେ ବାନ୍ଧିବ ବୋଲି ରାକ୍ଷୀ ଥାଏ ଅନେଇଁ
ସେ ଦିନ ପୂଜା ଥାଳି ଧରି ପାଖକୁ ଆସେ ଧାଇଁ
ରାକ୍ଷୀ ବାନ୍ଧି ଦେଇ ଆଶିଷ ନିଏ ମୋ ପାଦ ଛୁଇଁ
ଭାବେ ମୁଁ ମୋ ଭଉଣୀ ପରି ଭଉଣୀ ନାହିଁ
ତା' ଯତନ ନେଇ ସୁରକ୍ଷା ଦେଉଛି ମୁହିଁ
ସେ ଜୀବନର ଜୀବନ ବୋଲି ମୁଁ ତାକୁ ମଣେ
ମୋ ଭଉଣୀ ସୁଗୁଣେ ହଜାରରେ ଜଣେ
ସତ୍ୟ ନ୍ୟାୟ ନିଷ୍ଠା ପାଳନେ ସେ ଧର୍ମପ୍ରାଣା
ଆମେ ଭାଇ ଭଉଣୀ ପରସ୍ପରକୁ ଦେଉ ପ୍ରେରଣା
ସମୂହ କଲ୍ୟାଣ ଆମ ଜୀବନର ଲକ୍ଷ୍ୟ ଓ ଠିକଣା
ଆଶା ସ୍ବପ୍ନ ନେଇ ମାଗୁ ମହାପ୍ରଭୁଙ୍କ କରୁଣା
ଆମ ଭାଇ ଭଉଣୀର ଏ ସମ୍ପର୍କ ରହୁ ଅତୁଟ
ଶ୍ରୀଜଗନ୍ନାଥ ସହାୟ ହୋଇ ଦେଖାନ୍ତୁ ଭଲ ବାଟ
ଆମେ ପ୍ରଣାମ କରୁ ତାଙ୍କୁ ରହି ତାଙ୍କର ଶରଣେ
ମୋ ଭଉଣୀ ସୁଗୁଣେ ହଜାରରେ ଜଣେ।
