ମୋ ବାପା
ମୋ ବାପା
ବାପା ମୋର ଥିଲେ ସବୁଠୁ ନିଆରା
ଭଲ ପାଉଥିଲେ ମୋତେ
ମନଜାଣିକରି ନମାଗିବା ଆଗୁ
ଆଣି ଦେଉଥିଲେ ସତେ ।।୧।।
ରଙ୍ଗ ବେରଙ୍ଗର ଭଳି ଭଳି ଜାମା
କିଣୁଥିଲେ ବାଛିକରି
ପିନ୍ଧିଲେ ମାମୁନି ଲାଗିବ ସତେ କି
ସରଗ ରାଇଜ ପରୀ ।।୨।।
ଖାତା ବହି ସହ କଲମ,କମ୍ପାସ
ଯୋଗାନ୍ତି ପରୀକ୍ଷା ପାଇଁ
ପାଠପଢି ବଡ଼ଲୋକ ହେବ ଝିଅ
ଆତ୍ମନିର୍ଭର ସେ ହୋଇ ।।୩।।
ସବୁ ବାପା ମାନେ ସପନ ଦେଖନ୍ତି
ତାଙ୍କ ଝିଅ ହେଉ ବଡ଼
ସେହିପରି ମୋର ବାପା ସ୍ବପ୍ନ ଦେଖି
କରିଥିଲେ ଇଚ୍ଛା ଦୃଢ଼ ।।୪।।
ଆପଦେ ବିପଦେ ଛିଡାହୋଇଥାନ୍ତି
ମୋର ଆଗେ ହାତଧରି
ପଛଘୁଞ୍ଚା କେବେ ଦେବୁନାହିଁ ଝିଅ
ଭଣ୍ଡାରି ଖୁରକୁ ଡ଼ରି ।।୫।।
ସବୁବେଳେ ମୋତେ ସାହସ ଯୋଗାନ୍ତି
ପଛରେ ଅଛି ମୁଁ ପରା
ଆଗକୁ ଆଗକୁ ମାଡି ଚାଲ ଝିଅ
କାହାତେ ପଡନା ଧରା ।।୬।।
