ମୋ ବାପା
ମୋ ବାପା
କାହା ପାଇଁ ସେ ବାପା,
ତ କାହା ପାଇଁ ନନା ଆଉ ବାବା
କିନ୍ତୁ ସେଇ ଶବ୍ଦର ଅର୍ଥ
ସବୁଠି ଏକ ବୋଲି ଭାବିନେବା।
ନିଜ ଓଠରେ ହସ ଫୁଟାଇ
ଦୁଃଖ ସବୁ ସେ ପିଇ ଯାଆନ୍ତି
ଜଣା ନାହିଁ କେଉଁ ପଦାର୍ଥରେ
ଭଗବାନ ତାଙ୍କୁ ଗଢ଼ି ଥାଆନ୍ତି।
ପାଠପଢ଼ା ହୋଇଥାଉ
ବା ଖର୍ଚ୍ଚ ହେଉ ଖେଳନାର
ପିଲାଙ୍କ ଖୁସି ଆଗରେ
କେବେ ଅଭାବ ନଥାଏ ଟଙ୍କାର।
ଦୁନିଆ ଡାକ ଦିଏ
ମାଆ ଅଟେ ମହିୟସୀ
ନିଜ ତ୍ୟାଗର ହିସାବ ନ ଦେଇ
ବାପା ରହିଥାନ୍ତି ହସି ହସି।
ତାଙ୍କ ପାଇଁ ଲେଖିବାକୁ
ଶବ୍ଦ କେବେ ସରେନି
କିନ୍ତୁ ତାଙ୍କ ବର୍ଣ୍ଣନା କରିବାକୁ
ଶବ୍ଦ କେବେ ମିଳେନି।
ସମାଜ ପାଇଁ ହୁଅ ତୁମେ
ଯନ୍ତ୍ରୀ, ବ୍ୟବସାୟୀ ବା ଡାକ୍ତରଟିଏ
ବାପାଙ୍କ ପାଇଁ ସବୁବେଳେ
ତାଙ୍କ ଛାଇ ତଳେ ଥିବା ସନ୍ତାନଟିଏ
ତାଙ୍କ ହୃଦୟକୁ ବି କଷ୍ଟ ହୁଏ
ତାଙ୍କ ଆଖିରୁ ବି ଲୁହ ବୋହିଯାଏ
କିନ୍ତୁ ପୁରୁଷକୁ କଷ୍ଟ ହୁଏନି ବୋଲି
ତାଙ୍କ ଲୁହ କାହାକୁ ଦେଖା ନ ଯାଏ।
ଅନୁପସ୍ଥିତିରେ ମୂଲ୍ୟ ବୁଝାପଡେ
ସେ ବସ୍ତୁ ହେଉ ଅବା ମଣିଷ
ସମୟ ଥିବା ବେଳେ କହିବାକୁ ଚାହେଁ ବାପା ମଣିଷ ନୁହେଁ ମହାପୁରୁଷ।