STORYMIRROR

Sasmita Sahoo

Tragedy Inspirational

4  

Sasmita Sahoo

Tragedy Inspirational

ମୋ ବାପା

ମୋ ବାପା

1 min
393


ବହୁଦିନ ହେଲା     ଭାବିଲିଣି ବାପା

     ଲେଖିବି ଗୋଟିଏ କବିତା ।

ତୁମପାଇଁ ବାପା,     ମିଳୁନାହିଁ ଶବ୍ଦ

     ଖୋଜିଲିଣି କେତେ ସଂହିତା ।।

 କାଗଜ ଫର୍ଦ୍ଦରେ    ଖଣ୍ଡେ କଲମରେ

     ପାରୁନି ସାଉଁଟି ଆକାଶ ।

 ଦିନ ସରିଯିବ      ପୋଥି ହେଇଯିବ

      ଲେଖିଲେ ତୁମ ଇତିହାସ ।।

 ସ୍କୁଲ ଗଲାବେଳେ  ନେଇନାହଁ କେବେ

      ହାତ ଧରି ତୁମ ହାତରେ ।

 ଦେଖିନାହିଁ କେଉଁ   ମେଳଣ ଯାତରା

      ବୁଲିନାହିଁ ତୁମ କାନ୍ଧରେ ।।

 ମୋ ପାଇଁ ଆଣିନ     ତୁମ ପସନ୍ଦର

     ଡ୍ରେସ କି ଖେଳନା କଣ୍ଢେଇ ।

 ଏହି ମାପଦଣ୍ଡେ     ମାପିଲେ ତୁମକୁ

      ଦେଇଅଛ ମତେ ଭଣ୍ଡେଇ ।।

 କିନ୍ତୁ ଶୁଣ ବାପା    ନାହିଁ ମୋ ମନରେ 

      ଏମିତି ଗୋଟିଏ ନିକିତି ।

 ପାରିବିନି ମାପି     ବାପ ପଣିଆକୁ

      ନାହିଁ ମୋର ଏତେ ଶକତି ।।

 ହାତ ଧରି ମୋର    ଶିଖେଇଲ ଚାଲି

      ଚିହ୍ନେଇ ଜୀବନ ବାଟକୁ ।

 ଝୁଣ୍ଟିପଡି ପୁଣି      ପାରିଲି ମୁଁ ଉଠି

      ଧରି ତୁମ ଶକ୍ତ ହାତକୁ ।।

 କାନ୍ଧରେ ବସିକି     ଦେଖିନି ମେଳଣ

      ନାହିଁ ଦୁଃଖ ମୋର ମନରେ ।

 ପରିବାର ପାଇଁ  କେତେ କେତେ ବୋଝ

      ବୋହି ଅଛ ସେଇ କାନ୍ଧରେ ।।

 ହାତରେ ମୋ ରଖି   ଦେଇ ଅଛ ବାପା

      ଜୀବନ ଜୀଇଁବା ଆଦର୍ଶ ।

 ତୁମ ହାତ ଥିଲେ,  ମୁଣ୍ଡରେ ମୋ ବାପା

      ଲୋଡ଼ା କି କାହା ପରାମର୍ଶ ?

 ଜନ୍ମ ହୁଏ ଥରେ     ମରିଯାଏ ନିଶ୍ଚେ 

      ଧରାପୃଷ୍ଠେ ହେଲେ ଜନମ ।

 ମୋ ପାଇଁ କି ବାପା,  ଅଲଗା ହୋଇଲା

      ବିଧାତାଙ୍କର ସେ ନିୟମ ??

 ଗୋଟେ ଆୟୁଷରେ,   ପୁର୍ନଜନ୍ମ ନେଲି

      ଫେରିଲି ମୁ ଯମ ହାତରୁ

 ବାପର ପ୍ରାର୍ଥନା,     ଜିତିଗଲା ଅବା

     ହାରିଲା ମୃତ୍ୟୁ ମୋ ପାଖରୁ ।।

 ସ୍ନେହ ସ୍ରୋତ କେବେ  ଥମିନାହିଁ ବାପା

     ଶୁଖିନି ଆଶିଷ ଝରଣା ।।

 ତୁମ ଆଶୀର୍ବାଦ    ସଂଜୀବନି ମୋର

      କରିଛି ଦୁଃଖକୁ ଭରଣା ।।

  ମନ ଗହନରେ ଈଶ୍ୱରଙ୍କ ପାଖେ

     ଜାଳୁଛି ଇଛାର ସଳିତା। ।

 ସବୁ ଜନମରେ ତୁମ କୋଳେ ବାପା

  ଜନ୍ମିବି ହୋଇ ମୁଁ ଦ୍ୱହିତା ।।

  ଜନ୍ମିବ ହୋଇ ମୁଁ ଦ୍ୱହିତା ।।    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy