ମନ୍ତେଇ ନଈ
ମନ୍ତେଇ ନଈ
ମନ୍ତେଇ ନଈଲୋ ମନ୍ତେଇ ନଈ,
ଗୋଡ଼ ବଢ଼ାଇଲେ ପାଇବ ନାହିଁ ll
ପ୍ରଖରସ୍ରୋତ ତୋ ଗଭୀର ଗଣ୍ଡ l
କୁମ୍ଭୀରେ ମେଲାଇ ବସନ୍ତି ତୁଣ୍ଡ ll
ମାଛ ଶୁଖୁଆରେ ଜୀବିକା କରି l
ଧୀବରେ ଚଳାନ୍ତି ଜୀବନ ତରୀ ll
ମନ୍ତେଇ ନଈଲୋ ମନ୍ତେଇ ନଈ l
ଇତିହାସ ମୂକସାକ୍ଷୀ ଲୋ ତୁହି ll
କବି ବାଞ୍ଛାନିଧି ତୋ କୂଳେ ବଢ଼ି l
ଲେଖିଲେ କବିତା ଧାଡ଼ିକି ଧାଡ଼ି ll
ଓଜସ୍ବିନୀ ଦେଶ ପ୍ରେମ ସଙ୍ଗୀତ l
ହାରମାନି ଧରି ଗାଇଲେ ଗୀତ ll
ଗୀତେ ରହି ଥାଇ ଭୀଷଣ ତାତି l
ନରନାରୀ ସର୍ବେ ଉଠିଲେ ମାତି ll
କଣେ କୁଳ ବଧୂ, ପଲ୍ଲୀ ଲଳନା l
ହସ୍ତରେ ଧଇଲେ ତ୍ରିରଙ୍ଗା ବାନା ll
ସ୍ୱାଧୀନ ସମରେ ପାତିଲେ ଛାତି l
ମରଣେ ବରଣ କରି ସୁ ନୀତି ll
ମନ୍ତେଇ ନଈଲୋ ମନ୍ତେଇ ନଈ l
ଇରମ ସଂଗ୍ରାମ ମୁଁ ଭୁଲି ନାହିଁ ll
ଇରମରେ ସେହି ରଣ ହୁଙ୍କାର l
ବ୍ରିଟିଶ ରଚିଲେ ଗଣ ସଂହାର ll
ଜାଲିଆନାବାଗ ସେ ରକ୍ତ ତୀର୍ଥ l
ଦେଶବାସୀ ଢାଳିଦେଲେ ରକତ ll
ପରି ବେଉଆ ସେ ନମସ୍ୟା ନାରୀ l
ମନେ ପଡ଼ି ହିଆ ଯାଏ ମୋ ଥରି ll
ସଗର୍ବେ କୂଳରେ ବିରାଜେ ଆଜି l
ଦେଶପ୍ରେମ ବାର୍ତ୍ତା କିରତୀ ରାଜି ll
ବରୁଣ ତୋଟା ମେଳଣ ପଡ଼ିଆ l
ବ୍ରିଟିଶ ଗୁଳିରେ ଛିଣ୍ଡେ ଫଡ଼ିଆ ll
ମନ୍ତେଇ ନଈଲୋ ମନ୍ତେଇ ନଈ l
ବଇତରଣୀକୁ ଆସିଲୁ ବହି ll
କୂଳକୁ ଆସିଲେ ଗାନ୍ଧୀ ମହାତ୍ମା l
ହରେକୃଷ୍ଣ ଗୋପବନ୍ଧୁ ଦେଶାତ୍ମା ll
ସ୍ୱାଧୀନସମରେ ଯେତେକ ବାଧା l
କୂଳେ ବସି କଲେ ସର୍ବ ମସୁଧା ll
ଦେଶପ୍ରେମେ ସିକ୍ତ ମନ୍ତେଇ ମାଟି l
ସଂଗ୍ରାମୀ ମାନଙ୍କ ସଂଗ୍ରାମ ଘାଟି ll
ମନ୍ତେଇନଈ ଲୋ ମଙ୍ଗଳେ ଥାଆ l
କୂଳେ ବସନ୍ତି ତୋ ମଙ୍ଗଳା ମାଆ ll
ଧନେଶ୍ଵର ସୌଦାଗର କିରତୀ l
ସିଂହଳରୁ ଆସି କଲେ ବସତି ll
ସାଧବର ତଅପୋଇ ଦୁଲାଳୀ l
ରାତ୍ରକାଳେ କୂଳେ ଜଗଇ ଛେଳି ll
ମନ୍ତେଇ ନଈଲୋ ମନ୍ତେଇ ନଈ l
ତୀରେ ତରଳାକ୍ଷୀ କମଳା ସାଇଁ ll
ଉତ୍କଳର ତୁହି ଐତିହାସିକା l
ମନ୍ତେଇ ମା' କେବେ ହୋଇବ ଦେଖା ll
