STORYMIRROR

RAKHAL CHANDRA SWAIN

Romance

4  

RAKHAL CHANDRA SWAIN

Romance

ମନରେ ତୁମେ ,ସ୍ଵପ୍ନରେ ତୁମେ

ମନରେ ତୁମେ ,ସ୍ଵପ୍ନରେ ତୁମେ

1 min
254

ମନରେ ତୁମେ ମୋ ସପନେ ତୁମେ,

     ତ କଳ ନିନାଦିନୀ ପିଆସୀ ନଈ।

କାଚ କେନ୍ଦୁ ଦେହେ ଖିଲି ଖିଲି ହସି,

     ପିରତି ଜୁଆରେ ନିଅ ଭସେଇ।


ରାତି ଯାଏ ସରି,ସପନେ ତୁମରି,

      ଦିନ ସରେ କରି ତୁମ ଭାବନା।

ମୋ ମନ ମରୁରେ ଖେଳେ ସବୁଜିମା,

      ଛୁଇଁ ତୁମ ସୁଧା ପ୍ରୀତି ଝରଣା।


ପହିଲି ଦେଖାରୁ ପ୍ରଲେପିଲ ମନ,

      ପ୍ରେମ ପ୍ରଣୟର ଅଲିଭା ରଙ୍ଗେ।

ପିଆସୀ ଓଠ କୁ ମତୁଆଲା କରି,

      ଚୁମି ଗଲ ମୋର ପ୍ରଣୟୀ ଅଙ୍ଗେ।


ବସା ବାନ୍ଧେ ମନେ ଅସୁମାରୀ ସ୍ବପ୍ନ,

      ଭାସି ବୁଲେ ମନ ପରୀ ରାଇଜେ।

ପ୍ରୀତି କୁ ନିରେଖି ଫଗୁ ବୋଳା ଚାନ୍ଦ,

     ମେଘ ଦେହେ ମୁହଁ ଲୁଚାଏ ଲାଜେ।


ବାହୁ ବନ୍ଧନରେ ଥାଅ ଯେବେ ତୁମେ,

    ଲାଗେ ସାରା ସୁଖ ଅଛି ମୋ କୋଳେ।

ଚିବୁକରେ ମାପି ପାନ ପତ୍ର ତାତି,

       ଭାସେ ଶତ ସିନ୍ଧୁ ଆନନ୍ଦ ଜଳେ।


ଛୁଇଁଲାଣି ରବି ବାରୁଣୀ ଗଗନ,

       ଅସ୍ତରାଗେ ନଇଁ ଗଲାଣି ସଞ୍ଜ।

ତଥାପି ଲିଭିନି ମନ ଅଗଣାରୁ,

     ତୁମ ହାତେ ଅଙ୍କା ନାଲି ମୁରୁଜ।


ଫିକା ପଡିନି ସେ ବୟସର ଚକ୍ରେ,

     ଫଗୁ ବୋଳା ଚାନ୍ଦ ଲାବଣ୍ୟ ତ୍ବଚା।

ପ୍ରଗଳ୍ଭ ମନେ ମୋ ଭରେ ମାଦକତା,

     ପଲ୍ଲବେ ଆମ୍ବର ବଉଳ ପେନ୍ଥା।


ଆମ୍ବ ବଉଳରେ ଥୁଣ୍ଟା ମାରି ଗାଏ,

       କୋଇଲି ପ୍ରୀତି ର ମଧୁର ଗୀତ।

ବେପଥୁ ଜାଗୁଛି ଶିରା ପ୍ରସିରାରେ,

        ଆଙ୍କୁଛି ଅନୂଢା ସ୍ମୃତି ର ଚିତ୍ର।


କଥା ଦିଅ ପ୍ରିୟା,ଭାଙ୍ଗିବନି ମୋର,

     ସପନେ ଗଢା ଉତ୍ତୁଙ୍ଗ ଅଟ୍ଟାଳି।

ଜନମ ଜନମ,ସାତ ଜନ୍ମ ଯାଏ,

     ରହିଥାଉ ଆମ ସମ୍ପର୍କ ଯୋଡି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance