ମଙ୍ଗଳମୟ ଶ୍ରୀ ଜଗନ୍ନାଥ
ମଙ୍ଗଳମୟ ଶ୍ରୀ ଜଗନ୍ନାଥ
ମଙ୍ଗଳମୟ ଶ୍ରୀ ଜଗନ୍ନାଥ
ତୁମେ ପ୍ରଭୁ ଅନାଥର ନାଥ,
ଅମା ଅନ୍ଧାରେ ଦେଖାଅ ପଥ
ପୂର୍ଣ୍ଣ କରି ଦିଅ ମନୋରଥ।୦।
ସାରଥୀ ହୋଇ ତୁମେ ସତତ
ଚଳାଅ ଏ ଶରୀରର ରଥ,
ପୁଣ୍ୟଦାନେ କରାଅ ସମର୍ଥ
ତୁମ ଚରଣେ ସକଳ ତୀର୍ଥ।୧।
ତୁମେ ସତ୍ୟ ଶାନ୍ତି ପରମାର୍ଥ
ଦେଖୁଥାଅ ସମୂହଙ୍କ ସ୍ଵାର୍ଥ,
କରୁଥାଅ ଆରତଙ୍କ ହିତ
ତୁମ ଇଙ୍ଗିତେ ଚାଲେ ଜଗତ।୨।
ମଙ୍ଗଳ କର ଶୁଣି ଆରତ
ତୁମ ଦୟାରେ ତରେ ଭକତ,
ଜ୍ଞାନ ପ୍ରଦାନେ ରଖ ଜାଗ୍ରତ
ବୁହାଅ ତୁମେ ଜୀବନ ସ୍ରୋତ।୩।
ଭାବରେ ତୁମେ ହୁଅ ମୋହିତ
ଭାବଗ୍ରାହୀ ନାମେ ପରିଚିତ,
ତୁମେ ଧରମ ଚିର ଶାଶ୍ବତ
ତୁମେ ନିତ୍ୟ ଅନାଦି ଅନନ୍ତ।୪।
ଦୟାକର ପ୍ରଭୁ ଦୟାବନ୍ତ
ତୁମ ପାଦେ ହୁଏ ପ୍ରଣିପାତ,
ମଙ୍ଗଳମୟ ଶ୍ରୀ ଜଗନ୍ନାଥ
ଉଦ୍ଧରି ରଖ ଡ଼ାକେ ଅନାଥ।୫।
