ମନ୍ଦିରେ ଲାଗିଲା ତାଟି
ମନ୍ଦିରେ ଲାଗିଲା ତାଟି
ଆଡ଼ପ ମଣ୍ଡପେ ବସିଛି କାଳିଆ
ଉଭା ଯାତ୍ରା କରି ଶେଷ l
ଭାଇ ଭଗ୍ନୀ ସଙ୍ଗେ ଭକତ ଗହଳେ
ଲାଗିଛି ଗୁଣ୍ଡିଚା ରାସ ll
ହଳି ବୋଲୁଥାନ୍ତି ଧନ୍ୟ ତୋ ଭକତ
ଧନ୍ୟ ତୁ ଆରେ କହ୍ନାଇ l
ତୋ ବୋଲେ ରେବତୀ ଦେବୀଙ୍କୁ
କେନ୍ଦରାପଡ଼ାରେ ଛାଡ଼ିଛି ମୁହିଁ ll
ମହା ଉଲ୍ଲାସରେ ଯାତ୍ରା ଆମ୍ଭେ କଲେ
ଭକ୍ତ କଲେ କୋଳା କୋଳି l
ଲକ୍ଷ୍ମୀ ଠାକୁରାଣୀ କେମନ୍ତେ ଅଛନ୍ତି
କହ୍ନାଇ ଗଲୁକି ଭୁଲି ll
ହଟିଆ ଠାକୁର କାହ୍ନୁ ବୋଲୁଥାନ୍ତି ଶୁଣ
ଆହେ ବଡ଼ ଭାଇ l
ମଥା ଘୁରିଯାଏ ଲକ୍ଷ୍ମୀ ରୋଷ ଚିନ୍ତି
ନାଆଁ ତା ଧରନ୍ତୁ ନାହିଁ ll
ଭାଇ ମାନଙ୍କର କଥାରେ ସୁଭଦ୍ରା
ହସିଦେଲେ କିରି କିରି l
ନିଶି ଦେବୀ ପେଚା ବସି ଶୁଣୁଥିଲା
ଗମ୍ଭୀରାରୁ ଗଲା ଉଡ଼ି ll
କାନ୍ଦି ଲୋଟୁଛନ୍ତି ବିଶ୍ୱ ଠାକୁରାଣୀ
ସାତ ଦିନ ଗଲା ବିତି l
ନିଶି ଠାରୁ ଶୁଣି ଠାକୁରାଣୀ ରାଗ
ପଞ୍ଚମକୁ ଗଲା ଉଠି ll
ମାଉସୀ ବାଡ଼ିକି ବୁଲି ଗଲ ତୁମେ
ସଙ୍ଗେ ନେଇ ଭଉଣୀକି l
ଲକ୍ଷ୍ମୀ ଠାକୁରାଣୀ ମୁଁ ତୁମ ଘରଣୀ
ହେଲି ମୁଁ ଠାଇଁଆଣି କି?
ଭୋଜନେ କି କେବେ ହେଳା କଲି
ପ୍ରଭୁ କୁହ ଜ୍ୟେଷ୍ଠ ଭାଇ ହଳି l
କିବା ଦୋଷ କଲି ଶୀରିମନ୍ଦିରରେ
କଲ ମୋତେ ଜଗୁଆଳି ll
ନାଟ ଗୋବର୍ଦ୍ଧନ ହଳଦୀମୁହିଁଟା
ଭାଇଙ୍କୁ ଶିଖାଏ ନିତି l
ଆସ ଆସ ତୁମ ମଜା ଛଡ଼ାଇବି
ମନ୍ଦିରେ ଲାଗିଲା ତାଟି ll
