ମନ ରାଇଜର ସପନମାନେ
ମନ ରାଇଜର ସପନମାନେ
ମନ ରାଇଜରେ ସପନମାନେ
କୁଆଡୁ ମାଡି ଆସନ୍ତି ପଙ୍ଗପାଳ ଭଳି,
ଇଚ୍ଛାର ଫାଟକ ଭାଙ୍ଗି ଦେଇ
ଜବରଦସ୍ତ ପ୍ରବେଶ କରନ୍ତି
ହୃଦୟର ଶୟନକକ୍ଷ ପର୍ଯ୍ୟନ୍ତ,
ଏମାନେ ନିଦ ତ ଦିଅନ୍ତି ନାହିଁ କେବେ
ବରଂ ନିଦ ସବୁ ଛଡାଇ ନିଅନ୍ତି
ଲୁଣ୍ଠନକାରୀଙ୍କ ପରି ଯିବା ବାଟରେ
ଆଖି ବୁଜିଲେ ବି ଏମାନେ ଦିଶନ୍ତି
ସଫା ପାଣିରେ ପହଁରୁଥିବା
ଇଲିଶି ମାଛମାନଙ୍କ ପରି ଚକ୍ ଚକ୍।
ଏତେ ଅଝଟ ଅବୁଝା ଜିଦ୍ଦ୍ ତାଙ୍କର
ସବୁକୁ ଏକାଠାଇଁ ହାତମୁଠାରେ
ଧରିବାକୁ ଚାହାଁନ୍ତି ନଥାଉ ପଛେ ଜୋର୍,
ଏମାନଙ୍କର ଶୃଙ୍ଖଳା ଜ୍ଞାନ ବୋଲି
କିଛି ନାହିଁ ନିଜ ନିଜ ଆୟତ୍ତରେ
ଅନୁପ୍ରବେଶକାରୀଙ୍କ ପରି
ଚାଲି ଆସନ୍ତି ସଂଯମତାର ସୀମା ଡେଇଁ,
ଯାହା ପାଖରେ ଯାଇ ରୁଣ୍ଡ ହୁଅନ୍ତି
ତାକୁ ଅସ୍ଥିର ବିଶୃଙ୍ଖଳିତ କରି
ଗୋଟାପଣେ କରିଦିଅନ୍ତୁ ଦେବାଳିଆ।
ଏ ସପନମାନଙ୍କର ଅଜବ ଅଜବ ଖିଆଲ
ଦୁବ ହୋଇ ଦାରୁ ସାଥେ କରନ୍ତି ଲଢେଇ
ତିଳ ହୋଇ ଚାହାଁନ୍ତି ତାଳକୁ ଦେବେ ଟକ୍କର,
କାଠି ଖଣ୍ଡିକରେ ସ୍ବର୍ଗକୁ ବି ବାନ୍ଧନ୍ତି ଶିଡି
ଜୁ ନ ଥାଉ ପଛେ ଯିବାକୁ ଚଢି।
ଏ ସପନମାନଙ୍କୁ ଯିଏ ପାରେ ବୁଝି
ଶିଖେ ସେ ମନ ରାଇଜର ନୀତି ନିୟମ,
ହୁଏ ଶୃଙ୍ଖାଳିତ ମାନେ ଅନୁଶାସନ
ବୋଲ ମାନି ତାର ଠିକ୍ ବାଟରେ ଚାଲନ୍ତି
ନିଜର ଲକ୍ଷ୍ୟ ସ୍ଥାନରେ ପହଞ୍ଚିବାକୁ
ପାଇଥାନ୍ତି ପ୍ରେରଣାର ଇନ୍ଧନ।
ସପନମାନେ ମଧୁ ମକ୍ଷିକାଙ୍କ ପରି
ଶୃଙ୍ଖଳିତ ହେଲେ ଗଢନ୍ତି ମହୁଫେଣା,
ବିଗିଡି ଗଲେ ତାଙ୍କର ଦଂଶନରେ
ଆହତ କରନ୍ତି ଶରୀର ଅଙ୍ଗପ୍ରତ୍ୟଙ୍ଗକୁ
ବୁଝିବାକୁ ହେବ ଏ ସପନମାନଙ୍କର
କୁଟ କପଟତା ଦୁରଭିସନ୍ଧି
ଧୈର୍ଯ୍ୟ ସାହସର ସହିତ କରି ନେଲେ
ତାଙ୍କ ସାଥେ ଏକ ଚୁକ୍ତିନାମାର ସନ୍ଧି
ସଫଳତା ଆସେ ନିମନ୍ତ୍ରିତ ଅତିଥି ପରି।
