ମନ ନିବେଶିଛି ତୋ ପଦ୍ମପାଦେ
ମନ ନିବେଶିଛି ତୋ ପଦ୍ମପାଦେ
ଦଳିତ ଅଞ୍ଜନ ବୋଳା କଳା ବଦନ
ରବି,ଶଶି ଚକ୍ଷୁ ତାର କଞ୍ଜ ନୟନ ।।
ଦର ଦର ମିଠା ହସ ନାଲି ନାଲି ଓଠରେ
କପୋଳେ ଟୋପି ଚନ୍ଦନ ଚନ୍ଦ୍ରିକା ତଥିପରେ
ଦିଶେ ବଡ ଶୋଭାବନ,,
ଦଳିତ ଅଞ୍ଜନ ବୋଳା କଳା ବଦନ ।।
ବିପୁଳ ବାହୁ ବିସ୍ତାରି ଉଭା ଦେଖ ନୀଳଗିରି
ଚକା ବଇଠି ଆସିନ ପିନ୍ଧି ପାଟ ପିତାମ୍ଵରୀ
ମୋହିତ କରନ୍ତି ମନ,,
ଦଳିତ ଅଞ୍ଜନ ବୋଳା କଳା ବଦନ ।।
କର୍ଣ୍ଣେ ମକର କୁଣ୍ଡଳ ନାସାରେ ବସଣି ଝରା
ରତନ ଖଚିତ ସ୍ଵର୍ଣ୍ଣ ଚାପସରି ଗଳେ ମାଳା
ନିନ୍ଦଇ କୋଟି ମଦନ,,
ଦଳିତ ଅଞ୍ଜନ ବୋଳା କଳା ବଦନ ।।
ବନମାଳୀ ବନମାଳେ ରାହୁରେଖା ମସ୍ତକରେ
ଶ୍ରୀବତ୍ସ ଲାଞ୍ଚ୍ଛନ ଚିହ୍ନ କଉସ୍ତୁଭ ଦିବ୍ୟ ହାରେ
ଶ୍ରୀପତି ରମା ରମଣ,,
ଦଳିତ ଅଞ୍ଜନ ବୋଳା କଳା ବଦନ ।।
ବୈନତେୟ ଖଗପତି ପଦ୍ମପାଦେ ଖଟିଥାନ୍ତି
ଘରଣୀ ଯାହାର ପୁଣି ପଦ୍ମାଳୟା ସରସ୍ଵତୀ
ସେ ନାମ ଭଜରେ ମନ,,
ଦଳିତ ଅଞ୍ଜନ ବୋଳା କଳା ବଦନ ।।
ମୁଁ ହୀନ କରମ ଜନ ନାହିଁ କାହିଁ ପରିତ୍ରାଣ
ତୁମ ଭରଷାରେ ସ୍ଵାମୀ କାଟଇ ସଂସାରେ ଦିନ
ଶ୍ରୀପଦେ ଦିଅ ଶରଣ,,
ଦଳିତ ଅଞ୍ଜନ ବୋଳା କଳା ବଦନ ।।
