ମନ ମାହାତ୍ମ୍ୟ-୫
ମନ ମାହାତ୍ମ୍ୟ-୫
କାକର ପରିକା ମନଟିକୁ ଯଦି
ଆମେ ସଦା ଭିଜାଇ ରଖୁଥିବା,
ହୀରା ମୋତି ସମ ଶୁଭ୍ର ଜ୍ୟୋତି ବିନ୍ଦୁ
ଝଟକି ଦିଶିବ କି ମନଲୋଭା !
ବର୍ଷାରାଣୀ ପରି ରିମ୍ ଝିମ୍ ଛନ୍ଦ
ତୋଳି ମନ ଯଦି ଗାଇବ ଗୀତ,
ସେ ମଧୁ ରାଗିଣୀ ପୁଲକେ ପୁଲକି
ମାଟି ଦେହର ବଢ଼ିବ ମହତ୍ତ୍ବ ।
ଆନ ପାଇଁ ଯଦି ଜଣକ ହୃଦୟୁ
ପ୍ରୀତି ଫରୁଆରୁ ପ୍ରୀତି ଝରିବ,
ସେ ପ୍ରୀତି ରଙ୍ଗକୁ ମାଖି ଜଣେ ନିଶ୍ଚେ
ରଙ୍ଗ ଫୁଆରାକୁ ବାନ୍ଧି ରଖିବ ।
ଶାନ୍ତି ତୃପତିରେ ମନଟିକୁ ଯଦି
ସଦା ଭିଜାଇ ରଖି ପାରୁଥିବା,
ଦୁଃଖ କ୍ଳେଶ ସ୍ପର୍ଶ ନ କରି ଜୀବନେ
ସୁଧା ପାନ ସମ ଅନୁଭବିବା ।
ସୁଚିନ୍ତନେ ଯଦି ମନ ଭିଜାଇବା
ସୁକର୍ମରେ ତାହା ପ୍ରତିଫଳିବ,
ସୁଫଳକୁ ଲଭି ଆନନ୍ଦ ଉଲ୍ଲାସେ
ମାନବ ଜନମ ସାର୍ଥକ ହେବ ।
