ମନ ହରା ତୁମ ମଧୁର କଥା
ମନ ହରା ତୁମ ମଧୁର କଥା
ଋତୁରାଜ ମଧୁ ବସନ୍ତର ଫଗୁଣରେ
ସଜଫୁଟା ଫୁଲ ତା' ମହକ ବିଞ୍ଚି
ମଧୁପକୁ ଯେପରି ଆକର୍ଷି ନେଇଥାଏ
ପ୍ରକୃତିର ସେ ଅନୁପମ ଦୃଶ୍ୟ
ହସ ରସ ବାସ ତା'ର
ବିଦଗ୍ଧ ହୃଦୟରୁ ଦୂରାଏ ବ୍ୟଥା
ତଦ୍ରୁପରେ ତୁମ ରୂପ ଲାବଣ୍ୟ ଯଥା
ଅରୁଣ ଅଧରରୁ ଅମୃତ ସମ ଝରୁଥାଏ
ମନ ହରା ତୁମ ମଧୁର କଥା
କୁହ ଯା' ସରସ ସୁନ୍ଦର ହୁଏନା ଅନ୍ୟଥା
ମନଟା ତୁମର ସଫେଦ କାଗଜ ଫର୍ଦ୍ଦ
ଇଚ୍ଛା ଜାଣି ଆଙ୍କ ଚାହୁଁଥିବା ଛବି
ପ୍ରେମର ରଙ୍ଗେ ଚହଟି ଉଠେ
ଅପଲକ ଦୃଷ୍ଟିରେ ମୁଁ ହୋଇଯାଏ ବିମୁଗ୍ଧ
ଅନୁଭବ ହୁଏ ମୋ ଚେତନାରେ
ତୁମେ କୋଟିଏ ଭିତରେ ଗୋଟିଏ ରତ୍ନ
ବିଧାତା ଗଢ଼ିଛନ୍ତି କରି ଅତି ଯତ୍ନ
ଆକାଶରୁ ତାରାଫୁଲ ଖସେ ଯେବେ ହସ
କରିନିଅ ଗୋଟାପଣେ ମୋତେ ବଶ
ତୁମେ ପ୍ରିୟଦର୍ଶିନୀ ସୁଭାଷିନୀ
କଥା ତୁମର ଲାଗେ ଅମୃତବାଣୀ
ଲଘୁ ସଂଗୀତର ଛନ୍ଦଭରା ରାଗ ରାଗିଣୀ
ମୋ ସ୍ମୃତି ଫରୁଆରେ ହୁଏ ସାଇତା
ତୁମ ବିନା ଖୋଜି ପାଏନା ପନ୍ଥା
ମନ ହରା ତୁମ ମଧୁର କଥା
ଭାବେ ବସି କି ସୌଭାଗ୍ୟ ମୁଁ ପାଇଛି
ମୋତେ ତୁମେ ନେଇଛ ବାଛି
ବହିଯାଅ ହୋଇ ପ୍ରୀତିର ଝରଣା
ହଟେନା ତୁମ ଉପରୁ ମୋ ଧ୍ୟାନ ଧାରଣା
ପ୍ରେମର ଯମୁନାରେ ତୁମେ ଜଳପରୀ
ମୋ ଭାଗ୍ୟର କୂଳକୁ ଆସ ହୋଇ ଲହରୀ
ଆପଣା ଛାଏଁ ସ୍ବପ୍ନ ସବୁ ହୁଏ ସତ
ଆଖିରେ ଲାଖି ରହେ ତୁମ ରୂପ ବିଭବ
ସ୍ଫୁରେ ନାହିଁ ଭାଷା କି ଶବ୍ଦଟିଏ
ସମ୍ମୋହନେ ହୁଏ ମୁଁ ଜୀବନ୍ତ ସ୍ଥାଣୁଟିଏ
ଲେଖି ଦିଅ ଜୀବନର ଉପନ୍ୟାସ
ପୃଷ୍ଠା ଯେତେ ମୋ ହୃଦୟରେ ହୁଏ ଗୁନ୍ଥା
ମନ ହରା ତୁମ ମଧୁର କଥା...।।
