STORYMIRROR

Priyanka Priyadarshani Das

Tragedy

4.5  

Priyanka Priyadarshani Das

Tragedy

ମମତାର ଲୁହ

ମମତାର ଲୁହ

1 min
918


ପ୍ରଚ୍ଛନ୍ନ ତିମିରେ ଏ ମର୍ତ୍ତ୍ୟ ଭୂମିରେ ଦୁଃଖ ନ ବୁଝିଲେ କେହି;

ମେଘମାଳେ ଶଶୀ ଦେଲା ଉପହସି, ଚାହିଁଥିଲେ ମଧୁଲେହୀ ।।


ଆହା ରେ ନିୟତି ମୋ ଲାଗି କେମିତି ଶୁଷ୍କ ହେଲା କୃପାଝର?

ଅାହାର ଆଳୟ ହେଲା ବିଷମୟ, ସ୍ଵଜନ ସାଜିଲେ ପର ।।


ହାଡଭଙ୍ଗା ଜାଡ, ଭାଙ୍ଗିଯାଏ ହାଡ, ବୁକୁ ତଳେ ବହ୍ନି ଥୁଆ;

ମୋ ଚିରାପଣତ ଭିଡି କ୍ରନ୍ଦରତ ମୋ ଦୁଇମାସର ଛୁଆ ।।


ନ ହେଇ ମୁଁ ଶୂଳା ଵିଗ୍ରହ ମୁକୁଳା ଦିନୁ ଦିନ ଭାଙ୍ଗିରୁଜି

ଘେନି ଅପଵାଦ ଚାଲୁଅଛି ପାଦ ଗଞ୍ଜଣାକୁ କରି ପୁଞ୍ଜି ।।


ଵ୍ରର୍ଣ୍ଣ ଵିଵର୍ଜିତା ଵାତ୍ସଲ୍ୟ ମମତା ଅପୀନସେ ଆପେ ଆପେ,

ଛାତିତଳେ ତାତି ସାଜି ମୋ ଅରାତି ରଖେ ମୋତେ ପରିତାପେ ।।


ହେ କ୍ରୂର ରଜନୀ ପଚାରେ ଜନନୀ କି ଲାଗି ଏ ନିରବତା ?

ମୋ ସଙ୍ଖାଳି ପାଇଁ ତୋଠାରେ କି ନାହିଁ ତିଳେ ମାତ୍ର ଦୟାର୍ଦ୍ରତା ?


ପଡୁନି ତ ଖସି ଶରଗରୁ ଶଶୀ ଟିକି ଟିକି ତାର ହାତେ ,

ବିତେ ତାରେ ରାତି ଥରି ଥରି ଛାତି ଜାଡର ବହର ସାଥେ ।।


ପରାଣ ଇଶ୍ଵର ମୋତେ ଦୟା କର ଦିଅ ପଛେ ଦୁଃଖ ଭରି,

ମୋ ଟିକି ପୁଅର ପ୍ରାଣ ରକ୍ଷା କର, ସର୍ଵୋତ୍ପାତୁ ଯାଉ ତରି ।।


ପ୍ରଭାତ ସୂରୁଜ ବୁଣି ତା ମୁରୁଜ ଆଣିବ ତ ନୂଆ ଦିନ ,

ପୋଛି ଯିବ ବ୍ୟଥା ଉଚ ହେବ ମଥା ନ ଲାଗିବ ଦୀନ ହୀନ ।।


କମ୍ବଳ କନ୍ଥଡା ତା ପାଇଁ ଯା ଲୋଡା ଆଣିବି କେଉଁଠୁ ଖୋଜି ,

ଚିରା ପଣତ ମୋ ଟିକି ଟିକି କରି ରଖିଛି ତା ଦେହ ବୁଜି ।।



ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ୍

ସହଦେବଖୁଣ୍ଟା ,ବାଲେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy