ମମତାର ଡୋରୀ
ମମତାର ଡୋରୀ
ପେଟ ଚାଖଣ୍ଡକ ପାଇଁ
ପରିବାର ପୋଷିବା ପାଇଁ
ଦାଢି ନିଶ ଉଠି ନ ଥିବା ପୁଅକୁ
ଗାଁ ଛାଡିବାକୁ ପଡ଼େ
ଦାଦନ ପାଇଁ
ସହର ମାଡିବାକୁ ପଡ଼େ ।
ସାଥିରେ ଥାଏ
ଘର ତିଆରି ନଡ଼ିଆ ମିଠେଇ
ତିଳ ଲଡୁ ଆଚାର
ପଲିଥିନରେ ଗୋଡେଇ ମୋଡେଇ ।
ମା' ର ମମତା
ଭଉଣୀର ସ୍ନେହ
ପିତାର ସ୍ଵପ୍ନ
ସବୁଠାରୁ ବଡ଼
ଘରର ସବୁ ଦାୟିତ୍ଵ ଓ କର୍ତ୍ତବ୍ୟର
କୁଢ଼ କୁଢ଼ ଅଭିମାନ
ମୁଣ୍ଡରେ ମଗଜରେ
ବେଳେ ବେଳେ କରୁଥାଏ
ଅନାବଶ୍ୟକ ତୁମ୍ଭି ତୁଫାନ ।
କାରଖାନାରୁ ଫେରେ
ହାଡ଼ଭଙ୍ଗା କାମ ସାରି
ଫୋନରେ କହି ପାରେନା
ପେଜୁଆ ଭାତକୁ
ଅଲଣା ତରକାରୀ କରିଥିଲି ତିଆରି ।
ଘର କଥା ମନେ ପଡ଼େ
ତୁଣ୍ଡ ଆଉଡ଼େନି
କହିବାକୁ କେତେ କଷ୍ଟ ଏଠି
କଅଁଳିଆ କଥା କେଇପଦ କହିଦେଇ
ଫୋନ କାଟିଦେଲେ ବି
ଆଖିରେ ଅଦିନ ବନ୍ୟାର ତାଣ୍ଡବ
ଛାତି ତଳେ ତରଳ ସ୍ନେହର ଖାଣ୍ଡବ ।
ଘରେ ମା' ମନ ମାନୁନି ବୁଝୁନି
ଭିଡ଼ିଓ କଲ୍ ଆସିଲା
ଲୁଚେଇ ପାରିଲାନି କୂଳନନ୍ଦନ
ଲୁହ ଝରୁଥିଲା ବେନି ନୟନୁ
ମମତାର ଡୋରୀ ବନ୍ଧା ପଡ଼ିଥିଲା ।