ମମତାମୟୀ
ମମତାମୟୀ
ନାରୀ ରୂପେ ତୁମେ ଜନମ ନେଇଛ
ଏହି ଭବ ଧରାଧାମେ,
ସବୁରି ହୃଦୟେ ଭକତି ଅନ୍ତରେ
ପୂଜା ପାଉ ଅଛ ତୁମେ ।
ଜନନୀ ରୂପରେ ସେନେହ ଅଜାଡି
ସନ୍ତାନ ବତ୍ସଳା ସାଜି,
ସବୁ ଅରଦଳି ମଥାପାତି ସହି
ଲଗାଅ ଜୀବନ ବାଜି ।
ଅଣ୍ଟି ନିଜ କାଟି ଖାଇବାକୁ ଦେଇ
ପିନ୍ଧିଲା ଚିରା ବସନ,
ସନ୍ତାନର ସୁଖ ତା ଜୀବନ ଲକ୍ଷ୍ୟ
ନିଜ ପାଇଁ ନାହିଁ ଧ୍ୟାନ ।
ଦୁଃଖେ ଥାଇ ସିଏ ଅନିଦ୍ରାରେ ରହି
ପୁଅଝିଅ ପାଇଁ ମନ ,
ସଦା ସେ ଅସ୍ଥିର ରହେ ନିରନ୍ତର
ଜଗି ରହେ ରାତି ଦିନ ।
ଭଗ୍ନୀ ରୂପେ ଭାଇ ଦୀର୍ଘାୟୁ ମନାସି
ମନରେ ତା ଦେଇ ବଳ,
ଦେଶ ମାତୃକାର ସେବାରେ ଜୀବନ
କରଇ ସେ ତିଳ ତାଳ ।
ଭାର୍ଯ୍ୟା ହେଇ ସ୍ଵାମୀ ସୁଖ ମନାସିଲ
ନାଇଁଲ ସିନ୍ଥି ସିନ୍ଦୁର,
ସୁଖେ ଦୁଃଖେ ସଦା ସାଥୀ ହେଇ ତୁମେ
ଗଢିଲ ସୁନା ସଂସାର ।
ସ୍ଵାମୀର ପ୍ରତିଟି ସଫଳ ପାହାଚେ
ବଢାଇଲ ନିଜ ହସ୍ତ,
ନିଜ ସ୍ୱାମୀ ଭିନ୍ନ ଅନ୍ୟଥା ନ ଚିନ୍ତି
ପତିବ୍ରତା ବ୍ରତେ ରତ ।
ଶାଶୁ ଶ୍ଵଶୁରଙ୍କୁ ସେବାରେ ମୋହିଲ
ହୋଇ ଅୟ ସୁଲକ୍ଷଣୀ,
ନଣନ୍ଦ ଦିଅର ସେନେହ ଆଦରେ
ମଣିଲ ଭାଇ ଭଉଣୀ ।
ଯୁଗେ ଯୁଗେ ନାରୀ ତ୍ୟାଗ ସେ କରିଛି
ଦେଇଛି ଅଗ୍ନି ପରୀକ୍ଷା,
ସଭା ମଧ୍ୟେ ପୁଣି ଅପମାନ ସହି
ପାଇ ଅଛି କେତେ ଲଜ୍ଜ୍ୟା ।
ଆଜିବି ଶୋଷିତା ଅବହେଳିତା ସେ
ପାପୀ କରେ ଅତ୍ୟାଚାର,
ସାମାଜ ଚକ୍ଷୁରେ ଲୋଲୁପ ନଜରେ
ପେଶୀ ହୁଏ ବାରମ୍ବାର ।
ସେବା ମମତାର ପ୍ରତିମା ପରା ସେ
ଦେବା ତାକୁ ଉଚ୍ଚ ସ୍ଥାନ,
ତେବେ ସିନା ବିଶ୍ଵ ଦରବାରେ ଆମ
ଆହୁରି ବଢ଼ିବ ମାନ।