କୋଣାର୍କ
କୋଣାର୍କ
କଳା ସ୍ଥାପତ୍ୟରେ ବିଶ୍ଵ ବିଦିତ ଯେ
କୋଣାର୍କ ସେହି ଅଟଇ...
ବିଶ୍ଵ ସପ୍ତାଶ୍ଚର୍ଯ୍ୟେ ନାମ ଥିଲା ଯାର
ସୂର୍ଯ୍ୟ ମନ୍ଦିରଟି ସେହି ।
ଦ୍ଵାଦଶ ଖ୍ରୀଷ୍ଟାବ୍ଦେ ଗଙ୍ଗବଂଶ କାଳେ
ଆରମ୍ଭ ହୋଇଲା ଗଢା...
ବୀର ଲାଙ୍ଗୁଳା ଯେ ନରସିଂହ ଦେବ
ମନେ କରିଥିଲେ ଲୋଡ଼ା ।
ରଥ ଆକୃତିରେ ସୁକ୍ଷ୍ମ କାରୁକାର୍ଯ୍ୟେ
ସପ୍ତ ଅଶ୍ୱେ ହେଲେ ଖଞ୍ଜା...
ଚବିଶି ଚକରେ ଚନ୍ଦ୍ରଭାଗା ତୀରେ
ସୂର୍ଯ୍ୟ ଦେବ ହେଲେ ଉଭା ।
ବାରଶ ବଢେଇ ବାର ବରସରେ
ଖଟି ଥିଲେ ରାତି ଦିନ...
ବାର ବରସର ରାଜସ୍ଵ ଯହିଁରେ
ଖର୍ଚ୍ଚ ହୋଇଥିଲା ଜାଣ ।
ବିଶୁ ମହାରଣା ପାରିଲାନି ସେ ଯେ
ଦଧିନଉତି ବସାଇ...
ବାର ବରସର ତା ପୁଅ ଧରମା
ବସାଇଲା ଝାସ ଦେଇ ।
ବିଶାଳ ପଥର ଅମାପ ଓଜନ
କରି ଭାର ଉତ୍ତୋଳନ...
ଅନୁମାନ କଲେ ମଥା ଘୁରି ଯାଏ
ସେ କାରିଗର ମହାନ ।
ପଥର ଦେହରେ ନିହାଣ ମୁନରେ
ଖୋଦି ଅଦ୍ବିତୀୟ ଚିତ୍ର...
ଦର୍ଶକର ଆଖି ଭରିଯାଏ କ୍ଷଣେ
ବିଚିତ୍ର ସେ ଅର୍କ କ୍ଷେତ୍ର ।
ଜୀବନ ଦର୍ଶନ କାମ କଳା ଆଦି
ଜୀବନ୍ତ ରୂପେ ସ୍ଥାନିତ...
ହିନ୍ଦୁ ସଂସ୍କୃତିର ଅନେକ ଦୃଷ୍ଟାନ୍ତ
ହୋଇଛି ଭାବେ ଆଦୃତ ।
କାଳ କ୍ରମେ ତାର ସୌନ୍ଦର୍ଯ୍ୟ ଭାଙ୍ଗିଲା
ବିଦେଶୀଙ୍କ ଆକ୍ରମଣେ. ..
ଭଙ୍ଗ ଅବଶେଷ ଏବେବି ପୁରୁବ
ନିଜ ଅସ୍ଥିତ୍ଵ ବଖାଣେ ।
ନ ଭୁଲି ପାରିବା ତାଙ୍କ ପରସକୁ
ଆହେ ଜ୍ଞାନୀ କାରିଗର...
କାଳ କାଳ କୁ ଯେ ରଖି ଦେଲ ନାଆ
କଳା ପାଗୋଡ଼ା ନାଁ ତାର ।