ମମତା
ମମତା
ଝୁରୁଛି ମମତା କାନ୍ଦେ
ହୃଦୟ ତାହାର
ଯାହାକୁ ନିଜର କଲା
କରିଲା ସେ ଦୂର ।
ଚାହିଁଲାନି ଆଜି ସିଏ
ତାହାରି ମୁହଁକୁ
ଜନମ ଦେଇଛି ସିଏ
କହିବ କାହାକୁ ।
ଆଖି ଲୁହ ପିଉ ଥାଏ
ସବୁ ଦୁଃଖ ସହି ଯାଏ
ଚାହିଁ ଥାଏ ତା ବାଟକୁ
ଖୋଜେ ତା ଅନ୍ତର ।
ଝୁରୁଛି ମମତା କାନ୍ଦେ
ହୃଦୟ ତାହାର ।
ହାତ ଧରି ଦୁନିଆରେ
ଶିଖେଇଲା ଚାଲି
ହାତ ପାଇଗଲା ଯେବେ
ଗଲା ସିଏ ଭୁଲି ।
ଅଳି ଅଝଟକୁ ସହି
ନିଏ ସେ କୋଳେଇ
ସେଇ ପୁଅ ଆଜି ତାକୁ
ଦେଉଛି ଦୂରେଇ ।
ଯା ପଣତ ସାହା ଥିଲା
ସେ ଆଜି ଅଜଣା ହେଲା
ସେଇ ମାଆ ତା ପାଇଁ
ହେଲା ସାତ ପର ।
ଝୁରୁଛି ମମତା କାନ୍ଦେ
ହୃଦୟ ତାହାର ।
ନିଜେ ନ ଖାଇ କି ସିଏ
ତାକୁ ଖୋଇ ଥିଲା
ସେଇ ପୁଅ ତାକୁ ଘରୁ
ବାହାର କରିଲା ।
ଓପାସେ ରହିଛି ପଡି
ପୁଅ ରାନ୍ଧି ଖାଏ
ତଥାପି ସେ ତା ପୁଅକୁ
କେତେ ଭଲ ପାଏ ।
ଯିଏ ତାକୁ ଯାହା ଦିଏ
ତା ପୁଅକୁ ଦିଏ ସିଏ
ସେଇ ପୁଅ ତା ପାଇଁ
ହେଉଛି ନିଷ୍ଠୁର ।
ଝୁରୁଛି ମମତା କାନ୍ଦେ
ହୃଦୟ ତାହାର ।
ନିଜେ କଷ୍ଟେ ରହି ତାକୁ
ଦିଏ ସେ ପଇସା
ସେ ପୁଅ ଚୋରଣୀ କହି
କଲା ଲୋକ ହସା ।
ଝୁଣ୍ଟି ସେ ପଡିଲେ ମାଆ
ରକ୍ତ ଯାଏ ଝରି
ହାତ ଉଠେଇଣ ପୁଅ
ତାକୁ ଅଛି ମାରି ।
ତଥାପି ମାଆର ମନ
ପୁଅ ତା ଅଟେ ଜୀବନ
ତା ଭଲ ପାଇଁ ପ୍ରଭୁଙ୍କୁ
ଡାକେ ନିରନ୍ତର ।
ଝୁରୁଛି ମମତା କାନ୍ଦେ
ହୃଦୟ ତାହାର ।
ଦେଉ ବା ନ ଦେଉ ସେ
ଅଟେ ତାର ପୁଅ
ତା' ପାଇଁ ଝରୁ ଥାଏ
ତା ମମତା ସୁଅ ।
ମରଣ କାଳରେ ତୁଣ୍ଡେ
ଠୋପେ ଦେବ ପାଣି
ବିଦାୟ କାଳରେ କାନ୍ଧେ
ନେବ ସେ ମଶାଣୀ ।
ମୁଖାଗ୍ନି ତାକୁ ତ ଦେବ
ପୁତ୍ ନର୍କରୁ ଉଦ୍ଧାରିବ
ମାଆ ହୃଦ କହୁଛି ପୁତ୍ର
ଅଟଇ ମୋହର ।
ଝୁରୁଛି ମମତା କାନ୍ଦେ
ହୃଦୟ ତାହାର ।