ମଲାଜହ୍ନ
ମଲାଜହ୍ନ
ମଳିନ ପଡ଼ିଯାଏ ମୁଖମଣ୍ଡଳର ଜ୍ୟୋତି
ମଉଳି ନିସ୍ତେଜ ଦିଶେ ରମ୍ୟ ରୂପକାନ୍ତି
ମହକ ଛୁଟେ ନାହିଁ ପାଖୁଡ଼ା ଯାଏ ଝାଉଁଳି
ମଳୟ ଝଡ଼ବତ୍ୟାରେ ହୁଏ ରୂପାନ୍ତର
ମନ ରୁଗ୍ଣ ଦୁର୍ବଳ ପାରେନା ନିଜକୁ ସମ୍ଭାଳି।
ମହାନତାର ମହତ୍ଵ ଆଜି ଶ୍ୱାସରୁଦ୍ଧ
ମର୍ମାହତ ଜୀବନେ ଖେଳାଏ ଆତଙ୍କ
ମରୁଭୂମି ପରି ଦିଶେ ସମ୍ପର୍କର ଦୃଶ୍ୟପଟ୍ଟ ସବୁ
ମରୀଚିକା ନାଚେ ମାୟା ମୋହର ପରଦାରେ
ମଣିଷପଣିଆଁର ମୁଖା ତଳେ ଛପିଛି କଳଙ୍କ।
ମମତାଶୂନ୍ୟ ବନ୍ଧ୍ୟା ମାତୃତ୍ଵର କୋଳ
ମରଣର ମୁମୂର୍ଷୁ ଦୁରବସ୍ଥାରେ ଛଟପଟ ପ୍ରାଣ
ମଶାଣି ହାତ ଠାରି ଡାକେ ଆ...ଆ...
ମହାଶୂନ୍ୟର ଆକାଶ କୁହେଳିକାମୟ
ମର୍ଯ୍ୟାଦା ଆତ୍ମସମ୍ମାନର ମରୁଡ଼ି
ମହଙ୍ଗା ବଜାରର ମାଡ଼ କରେ ହନ୍ତସନ୍ତ
ମତାନ୍ତର ମନାନ୍ତରରେ କ୍ଷତାକ୍ତ ହୁଏ ହୃଦୟ।
ମଠ ମନ୍ଦିର ଗୀର୍ଜା ଗୁରୁଦ୍ୱାର ଆଶଙ୍କାର ସ୍ଥଳୀ
ମହୀମଣ୍ଡଳ ପ୍ରଦୂଷଣରେ ଆମୟପୂର୍ଣ୍ଣ
ମହଲ ଲାଗେ ଅବିଶ୍ୱାସର ଭୟଙ୍କର ପ୍ରେତପୁରୀ
ମଙ୍ଗଳର ଶୁଭଲଗନେ ଖାଲି ସଂଘର୍ଷ
ମଶାଲର ଆଲୋକ ପାଲଟେ ଜୁଇ ନିଆଁ
ମଲାଜହ୍ନ ପରି ସବୁ ଯାଏ ମରି ମରି।
