ମଝି ନଈରେ ଜୀବନ
ମଝି ନଈରେ ଜୀବନ
ଜଳି ଜଳି ଗଲା ମନଟି ମୋହର
ଜଳିଲା ସପନ ଘର
କଥା ପଦେ ତୁମେ କହିଦେଲ ସଖୀ
ଆଖି ହେଲା ଛଳ ଛଳ I
ଜୀବନର ନଈ ପାରି ହେଉଥିଲି
ମନେ ମନେ ହୋଇ ଖୁସି
ସବୁ ଖୁସି ମୋର ଛଡାଇ ନେଲା ଲୋ
ଅଦିନ ଝଡଟେ ଆସି I
ଭସାଇ ନେଲା ମୋ ଦଦରା ନାଆକୁ
ବେସାହାରା ଗଲି ହୋଇ
ଉବୁଟୁବୁ ହୁଏ ମଝି ନଈରେ ମୁଁ
ପହଁରା ତ ଜାଣି ନାହିଁ I
ଆଖିରେ ରଖିଛି କେତେ ଯେ ସପନ
ଦେଖିବାକୁ ନାହିଁ ବେଳ
ମଝି ନଈରେ ମୁଁ ଭାସୁଛି ଏକାକୀ
ଦେଖା ଯାଉ ନାହିଁ କୂଳ I
ହଜି ହଜି ଯାଏ ସ୍ୱର ମୋ କଣ୍ଠରୁ
ବଢୁଛି ବଢନ୍ତା ନଈ
ବେସୁରା ରାଗରେ ଗୀତ ଗାଉଛି ମୁଁ
ତୁମପାଇଁ ତୁମପାଇଁ I
