ମିଥ୍ୟା ସମ୍ପର୍କ
ମିଥ୍ୟା ସମ୍ପର୍କ
ଦୁନିଆ ଆଗେ ନ ସମ୍ପର୍କ ବାନ୍ଧିଲେ
ଚାଲିବା ଯେ ଭାରି କଷ୍ଟ
ବିଶ୍ଵାସ କରିଣ ବନ୍ଧୁ ଅରଜିଲି
ହୋଉଛି ମୁଁ ଛଟପଟ ।
କେବେ ବନ୍ଧୁ କୁହେ କେବେ ପୁଣି ସଖା
କେବେ ସେ କୁହଇ ମିତ
ମୁହଁରେ ସରାଗ ହସ ଫୁଟାଇ ଯେ'
ପଛ ପଟେ ରଚେ ନାଟ ।
ସ୍ଵାର୍ଥ ଥିଲା ଯାଏଁ ସଭିଏଁ ଆପଣା
ନହେଲେ ହୁଅନ୍ତି ପର
ସ୍ଵାର୍ଥ ପୁରିଗଲେ କ୍ଷଣିକ ମଧ୍ୟରେ
କରେ ଶତୃଙ୍କ ଆଚାର ।
ଚାତକ ପରି ସେ ଅନାଇ ରହିଛି
ଦୋଷ ଟିକିଏକ ପାଇଁ
ପାଇଗଲା କ୍ଷଣି ଅଳପ ଦୂର୍ବଳ
ଘଣ୍ଟ ପିଟେ ଢାଇଁ ଢାଇଁ ।
ଭୁଲିଯାଏ ସେହୁ ଅତୀତର କଥା
ବିପଦରେ ଥିବା ବେଳେ
ମିତ କହି ତାକୁ ଆଶରା ଦେଲି ଯେ '
ଏବେ ବିରୁଦ୍ଧରେ ଚଳେ ।
ଦୁଃଖ ଦୁର୍ଦ୍ଦିନରେ ସାଥୀ ହେବା ପାଇଁ
ବନ୍ଧୁଟେ ଯଦି ବାନ୍ଧିବ
ସେହି ବନ୍ଧୁ ଯେବେ ବଇରି ସାଜଇ
କାହାକୁ ଆଉ କହିବ ।
ହଜାର ସଂଖ୍ୟାରେ ବନ୍ଧୁ ଗଢ଼ିନେଲି
ଆଗ ପଛ ନ ବିଚାରି
ପଛ କଥା ସବୁ ଭାବିଦେଲା କ୍ଷଣି
ମୁଣ୍ଡ ଯାଉଛି ମୋ ଘୂରି ।
ଖଣ୍ଡିଆ ଖାବରା ଆଜି ବକ୍ଷ ସାରା
ଯନ୍ତ୍ରଣାରେ ହାହାକାର
କାୟା ଅଛି ସିନା ଶ୍ଵାସ ନାହିଁ ମୋର
ସାଜିଛି ଜଡ଼ ପଥର ।
ଶତ ଚେଷ୍ଟା ଆଜି କରୁଛି ମୁଁ ମୂଢ
ଲଭିବାକୁ ପିଲାଦିନ
ଥିଲା ହସ ଖୁସି କେବଳ ନଥିଲା
ଅହଂ ଛଳନାର ସ୍ଥାନ ।
ପରଖି ନିରେଖି ବନ୍ଧୁ ବାନ୍ଧିବ ହେ
ଯେ ଥିବ ସରଳ ମନା
ନହେଲେ ଭୋଗିବ ଅନେକ କଷଣ
ମିଳିବ ମିଥ୍ୟା ଲାଞ୍ଛନା ।
