ମହମବତୀ କିଣିଲେଣି
ମହମବତୀ କିଣିଲେଣି
ସ୍ୱର୍ଗ ରେ କ୍ରୋଧ ଜର୍ଜରିତ
ସେଇ ଅଶରୀରି ର ଆତ୍ମା ଗୁଡିକ
ଏବେ ଖୁବ୍ ଜୋରରେ ଚିତ୍କାର କରିବାକୁ ଲାଗିଲେଣି
ଏଇ ଯେମିତି ଇତିଶ୍ରୀ, ବେବିନା, ଛବିରାଣୀ
ଏକ ସ୍ୱରରେ ପଚାରୁଛନ୍ତି ,
ଆଜ୍ଞା ମହମବତୀ କିଣିଲେଣି.... ?
ସମାଜର ଡିମାଡିମା ଆଖି ସାମ୍ନାରେ
ବଳତ୍କାରୀ ର ଶକ୍ତ ପଞ୍ଚ୍ଝାରେ
ଆମେ ତ ବାରମ୍ଵାର ପୋଷ୍ଟମର୍ଟମ ହୋଇସାରିଛୁ
ନିର୍ଭୟା, ପ୍ରିୟଙ୍କା ପାଇଁ ହ୍ୱଟସପ ଡିପି
ବ୍ଲାକ୍ କରି , ମହମବତୀ ଜ୍ୟୋତି ଜାଳି
ପ୍ରତିବାଦ କରିବାର ଦୃଶ୍ୟ କୁ
ଅନେକ ବାର ଦେଖିଛୁ ..... ।
ଆଚ୍ଛା କୁହତ , ଦେଶରୁ ଧର୍ଷଣ କମିଲାଣି ?
ତୁମ ସମ୍ବିଧାନର ଫର୍ଦ୍ଦ କ'ଣ ପୋଛି ପାରିବ
ନିରବ ନୟନ ର ବେଦନା ର ଲୁହ ?
ଗାନ୍ଧୀ ଙ୍କ ର ସେ ଉକ୍ତି ଯଦି ସ୍ୱାଧୀନତା ର ମାନଦଣ୍ଡ ହୁଏ
ତେବେ ଏ
ଦେଶ କୁ ତାହା କେବେ ମିଳିବ ଟିକିଏ କୁହ ?
ଅବଶ୍ୟ ଏହା ଏକ ଅସମାହିତ ପ୍ରଶ୍ନ ନିଶ୍ଚୟ.... ।
ପ୍ରଶାସନ ପୋଲିସ୍ କଥା କ'ଣ ଅବା କହିବୁ ଯେ ,
ସମସ୍ତେ ଦୁର୍ନୀତି ର ସାଗରେ ଲିପ୍ତ
ଶିକାରୀ ଓ ଶିକାର ଭିତରେ
ଲାଭ ଖୋଜୁଥିବା ଲୋଭି ତୃତୀୟ ଚରିତ୍ର ,
ରୋପି ଚାଲନ୍ତି ଦୁର୍ନୀତି ର ଭୃଣ ।
ପ୍ରମାଣ ସବୁକୁ ନଷ୍ଟ କରି ଚାଲନ୍ତି
ତାଙ୍କ ତୀକ୍ଷ୍ଣ କଟାକ୍ଷ ରେ
ହୋଇଯିବ କାଳେ ପ୍ରସାରଣ ।
ବିଧି ବ୍ୟବସ୍ଥା ଆଇନ୍ ର ସବୁ ଧାରା
ଆମ ପାଇଁ ଆତ୍ମହତ୍ୟା ର ସିଲାବସ୍ ପାଲଟି ସାରିଲାଣି
ଆଇନ୍ କାନୁନ୍ ର ଛକି ଶୂନ ଖେଳରେ
ଆମେ ସବୁ ମଲା ଜହ୍ନ ପାଲଟି ଗଲୁଣି ।
ଏହିପରି ତୁମ ଆଖି ସାମ୍ନାରେ ଅନେକ
ନାରୀ ଅସ୍ତିତ୍ବ ତ ହରେଇବେ ;
କ'ଣ ଆପଣ ଶୋଭାଯାତ୍ରା ପାଇଁ
ମହମବତୀ କିଣିଲେଣି.....?