ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ
ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ
ଦିବ୍ୟାନନ୍ଦମୟ , ପରମ ପବିତ୍ର
ଧାମ ଅଟଇ ଶ୍ରୀକ୍ଷେତ୍ର
ଯେଉଁଠି ବିଜୟ କରନ୍ତି ଅଖିଳ
ପତିଜଗତର ନାଥ ।
ପୁଣ୍ୟ କାର୍ତ୍ତିକ ମାସ ପଞ୍ଚକ ପ୍ରଥମ
ଦିନ, ଏକାଦଶୀରେ
ମହାପ୍ରଭୁ ଙ୍କର ଲକ୍ଷ୍ମୀ ନାରାୟଣ
ବେଶ ହୁଏ ଶ୍ରୀକ୍ଷେତ୍ରରେ ।
ପଞ୍ଚକ ଆରମ୍ଭ ହୁଅଇ ସଂକଳ୍ପ
କରନ୍ତି ଯେ ହବିଷ୍ୟାଳି
ସ୍ୱତନ୍ତ୍ର ଏ ଦିନ, ସ୍ୱତନ୍ତ୍ର ଏ ବେଶ
ହୋଇଥାନ୍ତି ବନମାଳୀ ।
ଇନ୍ଦ୍ର ଦ୍ୟୁମ୍ନ ରାଜା ବ୍ରହ୍ମାଙ୍କୁ ଡକାଇ
ଯଜ୍ଞ ଯେ କରାଉ ଥିଲେ
ଉଗ୍ର ନୃସିଂହ ରୂପରେ ମହାପ୍ରଭୁ
ଆବିର୍ଭାବ ହୋଇଥିଲେ ।
ଶାନ୍ତ କରିବାକୁ ମହାଲକ୍ଷ୍ମୀ ଆସି
ପ୍ରଭୁଙ୍କୁ ଖୁଆଇ ପାନ
କୋଳରେ ବସିଣ ପ୍ରଭୁଙ୍କ କୋପକୁ
କରିଥିଲେ ସମାପନ ।
ସେହିଦିନୁ ଲକ୍ଷ୍ମୀ ନାରାୟଣ ବେଶ
ହେଉଅଛି ଅନୁଷ୍ଠିତ
ରାମାନୁଜ ଙ୍କର ଅତ୍ୟନ୍ତ ପ୍ରିୟ ଏ
ବେଶ ରହିଛି କଥିତ ।
ସୁନାର ଶ୍ରୀଭୁଜ, ସୁନା ଶ୍ରୀପୟର
ପିନ୍ଧି ପ୍ରଭୁ ଜଗନ୍ନାଥ
ହସ୍ତରେ ସୁନାର ଚକ୍ର, ରୂପା ଶଙ୍ଖ
ଧରି ଥାନ୍ତି ପ୍ରଫୁଲ୍ଲିତ ।
ପ୍ରଭୁ ବଳରାମଙ୍କର ଶ୍ରୀ ହସ୍ତରେ
ବିରାଜେ ହଳ ମୁଷଳ
ସୁଭଦ୍ରା ଲକ୍ଷ୍ମୀଙ୍କ ବେଶ ଧରିଥାନ୍ତି
ଦେଖି ଲାଗେ କୌତୁହଳ ।
ମାତା ଆଦିଶକ୍ତି, ବ୍ରହ୍ମା ରୂପ ପୁଣି
ଧରନ୍ତି ଭଗ୍ନୀଙ୍କ ବେଶ
ଲକ୍ଷ୍ମୀ ନାରାୟଣ ବେଶ ହୋଇ ପୁଣି
କରନ୍ତି ଦୁରିତ ନାଶ ।
ସୁନା ସୂର୍ଯ୍ୟ, ଚନ୍ଦ୍ର, କୁଣ୍ଡଳ ତାବିଜ
ମାଳା,ବାଘନଖି ମାଳା
ହରିଡ଼ା ମାଳି, ଘାଗଡା ମାଳି,
ଅଧର ମାଳା, ପୟର ମାଳା ।
ଆଡ଼କାନି, ମଥା ମଣି, ସହିତରେ
ଚନ୍ଦ୍ରିକା କଦମ୍ବ ମାଳ
ତେଇଶି ପ୍ରକାର ସୁନା ଅଳଙ୍କାର
ଶୋଭା ପାଏ ଶ୍ରୀଅଙ୍ଗର ।
ଅବକାଶ ନିତି ପରେ ଯେ ଗୋପାଳ
ବଲ୍ଲବ ଓ ବାଳଧୁପ
ଭୋଗ ମଣ୍ଡପ ନିତିପରେ ଏ ବେଶ
ହୋଇଥାଏ ଅନୁଷ୍ଠିତ।
ରତ୍ନ ସିଂହାସନେ, ରତନ ବେଦୀରେ
ପାଳିଆ ଓ ପୁଷ୍ପାଳକ
ସିଂହାରୀ ସେବକ ପ୍ରଭୁଙ୍କୁ କରନ୍ତି
ଲକ୍ଷ୍ମୀ ନାରାୟଣ ବେଶ।
ସୁନାର କିଆ ଯେ ପ୍ରଭୁଙ୍କ ମସ୍ତକେ
ଠିଆ ହୋଇ ଶୋଭା ପାଏ
ସେପାଇଁ ଏ ବେଶ ଠିଆକିଆ ବେଶ
ରେ ପରିଗଣିତ ହୁଏ ।
ବାର ମାସେ ତେର ଯାତ ପ୍ରଭୁଙ୍କର
ଦେଖି ଧନ୍ୟ ହୁଏ ନେତ୍ର
ନାନା ବେଶେ ପ୍ରଭୁ ଦିଅନ୍ତି ଦର୍ଶନ
ଭକ୍ତ ମନ ଆନନ୍ଦିତ ।
ଏହିପରି ବିଶ୍ୱେ ନାହାନ୍ତି ଠାକୁର
କଳା ଠାକୁରଙ୍କ ପରି
କୋଳେ ଧରି ପ୍ରଭୁ ଓଡିଶା ଗର୍ବିତ
ନୀଳାଚଳ ଧାମ ପୁରୀ ।
ଦୁଃଖ ଆରତରୁ ଉଦ୍ଧାରନ୍ତି ବୋଲି
ନାମ ଟି ଆରତ ତ୍ରାଣ
ବିଶ୍ୱ ବାସୀଙ୍କର ଦୁଃଖକୁ ହରଣ
କର ପ୍ରଭୁ ନାରାୟଣ।