ମହାନ୍ ମାନବ ହୁଏ ପୂଜନୀୟ
ମହାନ୍ ମାନବ ହୁଏ ପୂଜନୀୟ
ମହାନ୍ ମାନବ ହୁଏ ପୂଜନୀୟ
ଦେବତାର ରୂପ ଧରି
ଚିନ୍ତା ଚେତନାରେ ଦିବ୍ଯତା ପ୍ରକାଶେ
ମୃତ୍ୟୁ ପରେ ଅବତାରୀ।
ବହୁ ଅବତାର ଭଗବାନଙ୍କର
ସୃଷ୍ଟିର ଶାନ୍ତି ସକାଶେ
ଯୁଗ ଯୁଗ ଧରି ପୂଜା ପାଉଛନ୍ତି
ପ୍ରତିଟି ଜନ ମାନସେ।
ଜୀବନ ମନନ ନୁହେଁ ଖାଲି ଜନ୍ମ
ବହୁ ତପସ୍ୟାର ଫଳ
ଭକ୍ତି ଜ୍ଞାନ କର୍ମ ବିଧିର ବିଧାନ
ସବୁ ଜୀବନର ମୂଳ।
କରିବା ପଠନ ଗ୍ରନ୍ଥ ଓ ପୁରାଣ
ହୃଦୟସ୍ଥ ତାର ଜ୍ଞାନ
ବାକ୍ଯରେ ମନରେ କି ଅବା କର୍ମରେ
ଲଗାଇବା ନିତିଦିନ।
ପୁରାଣରେ ଶ୍ରେଷ୍ଠ ଗ୍ରନ୍ଥ ଭାଗବତ
ଗ୍ରନ୍ଥରୂପୀ ଅବତାର
ସ୍ମରଣୀୟ ହୁଏ ପ୍ରତି ପ୍ରଭାତରେ
ଅବା ସାନ୍ଧ୍ୟ ଲଗନର।
ଆବେଗରେ ଭରା ଭକ୍ତି ରସ ତତ୍ତ୍ୱ
ଭକ୍ତ ହୃଦୟେ ପ୍ଳାବିତ
ସରଳ ସହଜ ପ୍ରକାଶ ପ୍ରାଞ୍ଜଳ
ସଂସାର ଜୀବନ ସତ୍ଯ।
ଓଡିଆ ଜାତିର ଭକ୍ତି ଭିତ୍ତିଭୂମି
ସାଂସ୍କୃତିକ ପରିଚୟ
ଆଦ୍ୟ ଉଦ୍ଘୋଷଣ ସମାଜ ନିର୍ମାଣ
ଭରା ଭକ୍ତି ତତ୍ତ୍ୱମୟ।
ନୁହେଁ ଖାଲି ପୋଥି ଲିପିବଦ୍ଧ ନଥି
ବିସ୍ମୟରେ ବିଜଡିତ
ଜାତି ଜୀବନର ମୁଗ୍ଧ ଇସ୍ତାହାର
ସ୍ମୃତି ସ୍ତମ୍ଭ ଭାଗବତ।
ମାନବ ଜୀବନ ସମଗ୍ର ଅସ୍ତିତ୍ବ
ଉଚ୍ଚକିତ ଉଚ୍ଚାରଣ
ଜୀବନଚର୍ଯ୍ୟାର ଆଦର୍ଶ ପାଳନ
ଅନୁଜ୍ଞା ଅଭିପ୍ରେରଣ।
ଶହ ଶହ ବର୍ଷ ପ୍ରେରଣାର ଉତ୍ସ
ମ୍ଳାନ ନୁହେଁ ତାର ସ୍ଥିତି
ଦାରିଦ୍ର୍ୟର ଦୁଃଖ କରିବନି ମ୍ଳାନ
ମହାଦୀକ୍ଷା ଭକ୍ତି ଗୀତି।
ଅଭାବ ଅଶିକ୍ଷା ଅଥବା ଦୁର୍ଭିକ୍ଷ
କରିପାରେନି ଆହତ
ସୁଦୂର ପ୍ରସାରୀ ଦୃଷ୍ଟିକୋଣ ଭାରି
ବଢାଏ ସେ ଭାଗବତ।
ବୌଦ୍ଧିକ ଜ୍ଞାନର ହେବ ଉତ୍ତୋଳନ
ବିଶ୍ବାସର ଚିତ୍ରବିଶ୍ବ
ଲୋକଶିକ୍ଷା ଭାର ତାହାର ଆଧାର
କରି ପାରିବନି ନିଶ୍ବ।
ନୁହେଁ ସେ କାହାଣୀ ଖାଲି ମୃଦ୍ଯୁବାଣୀ
ଶ୍ରେଷ୍ଠ ସିଏ ମହାଭାଷ୍ଯ
ନବାକ୍ଷରୀ ଛାନ୍ଦେ ମଧୁର ମୂର୍ଚ୍ଛନା
ପ୍ରତି ମାନସ ଆଶ୍ଳେଷ।
ଅୟୁତ ଉତ୍ଥାନ ଅବା ପତନରେ
ଅସାମାନ୍ଯ ଆଶ୍ବାସନା
ଭକ୍ତି ଓ ଜ୍ଞାନର ମହାପ୍ଳାବନରେ
ବହେ ଜୀବନଯମୁନା।
ସମୂହ ଜୀବନ କରି ସମ୍ମୋହନ
କରିଛି ଅଭିମନ୍ତ୍ରିତ
ବିଚାର ସଂସ୍କାର ଅବା ଲୋକାଚାର
ସବୁ ତ ସୁନିୟନ୍ତ୍ରିତ।
ସତ୍ଯ ଆଲୋକରେ କରି ଉଦ୍ଭାସିତ
ଜାତିକୁ କରିଛି ବ୍ଯାପ୍ତ
ଷଢରିପୁ ସବୁ କାରାଗାର ବଦ୍ଧ
ମନକୁ କରିଛି ଶାନ୍ତ।
ମୃତ୍ୟୁ ଆସନ୍ନରେ ଶୁଣି ଶୁଣି ତରେ
ଆତ୍ମା ପାଏ ଦିବ୍ଯ ଦେହ
ନୁହେଁ ଖଣ୍ଡେ ବହି ଦିବ୍ଯ ତାର ଦେହି
ଚେତନାର ମହୀରୁହ।
ଅଭିପ୍ରେରଣାର ମହନୀୟ ଉତ୍ସ
କବି ଚେତନାରେ ଭରି
କବିତ୍ବ ଜୀବନ ସ୍ମୃତିର ମନ୍ଥନ
କବିତା ସୁମନ ପରି।
ଭାଷା ସଂସ୍କୃତିର ଏ ଜୟଯାତ୍ରାରେ
ଇତିହୀନ ଜୟଘୋଷ
ଜନ ଜୀବନର ଫୁଟନ୍ତା ଫୁଲର
ମଧୁଭରା ସ୍ବପ୍ନାବେଶ।
ପ୍ରତି ପଦ ପକ୍ତି ଶୁଦ୍ଧ ଭାବ ଗୀତି
ଲଳିତ ପ୍ରତିଟି ପାଦ
ଭାଗବତ ପାଠ କରୁଥିଲେ ନିତ୍ଯ
ପଡେନି ଜମା ପ୍ରମାଦ।