ମହାବିଦ୍ୟା ମାଆ ତାରା
ମହାବିଦ୍ୟା ମାଆ ତାରା
ଜୟ ମାଆ ତାରା ତୁହି ବିଶ୍ବମ୍ଭରା
ଜୟ ତୁ କରୁଣାମୟୀ l
ଦକ୍ଷଯଜ୍ଞ କାଳେ ଝାସ ଦେଲୁ ମାଆ
ପିତା ଯଜ୍ଞକୁଣ୍ଡେ ଯାଇ ll
କରାଳ ବଦନୀ ମାଆ ତ୍ରିନୟନୀ
ପୀନସ୍ତନୀ ଲମ୍ବୋଦରୀ l
କରାଳ ଦଶନୀ ଉନ୍ମୁକ୍ତ ଜଘନୀ
କାତ୍ୟାୟନୀ ମାହେଶ୍ୱରୀ ll
ଖଡ଼ଗ ଖେଟକ ଖର୍ପର ଧାରିଣୀ
ନାନା ଅସ୍ତ୍ରେ ବିଭୂଷିତା l
ଜୟ ଜଗଦମ୍ବା ଗୋଉରୀ ତୁ ଅମ୍ବା
ମାଆ ଲୋ ଅପରାଜିତା ll
ଉଗ୍ରେ ଉଗ୍ରତାରା ଦୟାମୟୀ ପରା
ମାଆ ନୀଳ ସରସ୍ୱତୀ l
ଘନନୀଳ ରୂପୀ କରାଳୀ କଳାପୀ
ଅଟୁ ଦୟାବତୀ ଅତି ll
ଜୟ କପାଳିନୀ ନୃମୁଣ୍ଡ ମାଳିନୀ
ମୃଗ ଜୀନ ପରିହିତେ l
ଜୟ ଚତୁର୍ଭୁଜା ମାଆଲୋ ଗିରିଜା
ବିଶ୍ଵମୟୀ ବିଶ୍ଵହିତେ ll
ଜୟ ବେତାଳିକା ମନ୍ଦାର ମାଳିକା
ଶାନ୍ତି ମୁକ୍ତି ଜ୍ଞାନଦାତ୍ରୀ l
ଧ୍ୟାନେ ତୋର ସଦା ଜୟ ମା ବରଦା
ପାହିଯାଏ କାଳରାତ୍ରୀ ll
ଶୁଦ୍ଧ ସିଦ୍ଧି ଦାୟୀ ମାଆ ଲୋ ତନ୍ମୟୀ
ଜୟ ମା' ବିଶ୍ବ ଜନନୀ l
ତୋ ପଦେ ବନ୍ଦଇ ମାଆ ମହାମାୟୀ
ନମସ୍ତୁତେ ନାରାୟଣୀ ll
