ମହାବାତ୍ୟା ୧୯୯୯
ମହାବାତ୍ୟା ୧୯୯୯
କୋଡିଏ ବରଷ ପୁରିଲା ଆଜିକୁ ମହାବାତ୍ୟା ଓଡିଶାର
ଅନେଶତ ଅକ୍ଟୋବର ଅଣତ୍ରିଶ କରାଳ ରୂପ କାଳର
ସଚେତନ ନୁହେଁ ସରକାରୀ କଳ ସହଜେ ତ ସନ୍ଧ୍ୟାକାଳ
ଉତଫଣ ହେଲା ସମୁଦ୍ର ଲହଡ଼ି ମାତିଲାକି ମହାକାଳ
ସହଜେ ଦରିଦ୍ରତମ ରାଇଜରେ ଚାଳଘର ମାଳମାଳ
ଉତ୍ତୁଂଗ ଲହଡି଼ ଆକାଶ ଛୁଇଁଲା ପଡ଼ିଗଲା ଅବା କାଳ
ଚକ୍ରବାତ ପରି ଚାଳଘର ମାନ ଆକାଶେ ଉଡିଲେ ଖରେ
ଟିଣ ଆଜବେଷ୍ଟ ଯହିଁ ଥିଲା ତାହା ଉଡିଲା ଆକାଶ ପରେ
ମହାଦୃମ ମାନ ଉପୁଡ଼ି ପଡ଼ିଲା ଉଡ଼ିଲା ଡାଳ ଉଦବାୟୁ
ଘରଦ୍ୱାର ଛାଡି଼ ଧାଇଁଲେ ବିକଳେ ଯିବାଆଗୁଁ ପ୍ରାଣବାୟୁ
ଛିଟିକି ପଡନ୍ତି ଦୁଇଶହ କିମି ବାତଗତି ଦୃତତର
ଉତଫଣ ଲହଡି ମାଡିଆସେ ଘୋରତର ବତାସର ସ୍ୱର
ବାପର ହାତରୁ ପୁଅ ଖସିଯାଏ ମାଆର ବକ୍ଷୁ ଉତାଣି
ପତିପତ୍ନୀ କାହିଁ ଅଲଗା ହେଲେଣି ଲହଡ଼ି ନେଉଛି ଟାଣି
ଲହଡ଼ି ଖେଳୁଛି ନହୁଡ଼ି ହେଲେଣି ପରିବାର ଛଡାଛଡ଼ି
ମଣିଷ ଉଡୁଛି ଉଠୁଛି ପଡୁଛି ପବନର ମହାରଡି଼
ସାଗରର ଖେଳ ହେଲା ମହାକାଳ ରାତି ପାହି ହେଲା ପ୍ରାତ
ବଂଚିଥିଲେ ଯିଏ ଝାଡବାଡ଼ ଧରି ଦେଖିଲେ ପବନ ଶାନ୍ତ
ଓଲଟି ବହିଲା ଅଚାନକ କାହୁଁ ସେପାଖ ଗଛ ଏପାଖ
ଅସମ୍ଭାଳ ହେଲା ପବନର ଗତି ମହାକାଳ ଅବା ପାଖ
ଲେଉଟାଣି ବାତ ମହା ଉତପାତ ବଢ଼ିଲା ପବନ ବେଗ
ଲହଡ଼ି ବୁକୁରେ ଭାସିଗଲେ କେତେ ଯିଏ ପଡିଗଲା ଆଗ
ଗୋପାଳପୁରରୁ ଅସ୍ତରଂଗ ଡେଇଁ ସାଗରର ଉତପାତ
ଆମ୍ବିକି ଏର୍ସମା ଗଡକୁଜଂଗରୁ ପାରାଦ୍ୱୀପ ହେଲା ଗତ
କେନ୍ଦରାପଡାର ରାଜନଗରରୁ ଚାନ୍ଦବାଲି ହେଲା ଲଣ୍ଡା
କୁଢ଼କୁଢ଼ ମଡା଼ ଆବାଳବନିତା ଗାଇଗୋରୁ ଛେଳିମେଣ୍ଢା
ପୁତିଗନ୍ଧମୟ ପରିବେଶ ହେଲା ପ୍ରଦୁଷଣ ସଂକ୍ରମଣ
ରାସ୍ତାଘାଟ ସବୁ ଉଗାଳି ମହୀରେ ମହୀରୁହ ଆକ୍ରମଣ
ଝାଡବାଡ ଧରି ବଂଚିଥିଲେ ଯିଏ ସୁକୁସୁକୁ ପ୍ରାଣବାୟୁ
ହାତ ବଢାଇବ ହାତଟିଏ ନାହିଁ ଅଗତ୍ୟା ହେଲେ ଗତାୟୁ
ତିନିଦିନ ଗତେ ଆନ୍ଧ୍ରରୁ ନାଇଡ଼ୁ ସରକାର ଛିଡାହେଲେ
ବିଶେଷ ସାହାଯ୍ୟ ରାସ୍ତାସଫା ଲାଗି ଚମତ୍କାର ଦେଖାଇଲେ
ରାସ୍ତା ଫିଟିଗଲା ଆରମ୍ଭିଲା ତହୁଁ ଗାଡିଘୋଡା ଚଳାଚଳ
ଆନନ୍ଦମାର୍ଗୀଏ ଗାମୁଛା ମୁହଁରେ ଭିଡ଼ି କଲେ ସେବାଦଳ
କୁଢ଼କୁଢ଼ ମଢ଼ କୁଢ଼େଇ ପୋଡିଲେ ଭୁଲି ସତ୍କାର ସଂସ୍କାର
କିଏ ବଂଚିଅଛି କିଏ ବା ମରିଛି ତର ନାହିଁ ଜାଣିବାର
ଦେଶ ବିଦେଶରୁ ରିଲିଫର ସୁଅ ଭୁବନେଶ୍ୱରରେ ଠୁଳ
ବାବୁ ଭାୟାଂକର ଲୋଭ ଭୟଂକର ଦେଖି ତାକୁ ଅସମ୍ଭାଳ
କମ୍ବଳ ସମ୍ବଳ ବାସ୍ତୁହରାଂକର ବୋହିନେଲେ ଦୁରାଚାରୀ
ସାହା ପହଂଚିଲା ବିପର୍ଯ୍ୟୟ ସ୍ଥଳେ ଭାଇ ସାଜିଲା ଭଗାରୀ
ଵୃଦ୍ଧ ଵୃଦ୍ଧା ଯେତେ ଦୁସ୍ଥ ଚାହିଛନ୍ତି ରିଲିଫ୍ ଦେବ ରିଲିଫ୍
ମହାବାହୁବଳୀ ଠେଂଗା ଧରି ଛିଡା ତିନିଖୁଣ ତାଂକୁ ମାଫ୍
ମାସେ ଦୁଇମାସ ଗଡିଲା ଏରୂପେ ସାଉଁଟିଲେ ଜୀବନକୁ
ମଲାଗଲା ଯିଏ ଭୁଲି ଜୀବନକୁ ଆଗକୁ ଆଗ ନେବାକୁ
ପିଅର କାହାର ସନ୍ତାନ କାହାର କାହା ଭାଇ କା ଭଉଣୀ
ବିଧବା କାହାର ମୃତଦାର କିଏ ନେଲେ ଜୀବନକୁ ଛାଣି
ଗଣ ବିବାହର ଆୟୋଜନ ହେଲା ଜାତି ଗୋତ୍ର ସବୁ ଭୁଲି
ପ୍ରଳୟ ପରର ନିଷ୍ପାପ ଜୀବନ ଭେଦଭାବ କାହୁଁ ଚଳି
ଚେତିଲେ ନୂତନ ସରକାର କଲେ ଓଡରାଫ୍ ଟିମ୍ ସଶକ୍ତ
ବାତ୍ୟା ନିରୋଧୀ ଆଶ୍ରୟସ୍ଥଳ ଗ୍ରାମେଗ୍ରାମେ ପ୍ରତିଷ୍ଠିତ
କଚ୍ଚା ଘର ଆଉ ନଦିଶେ ସେଠାରେ ପକ୍କା ଘର ନିର୍ମାଣିଲେ
ଆଗୁଆ ସୂଚନା ବିପର୍ଯ୍ୟୟ ଆଗୁଁ ଦେବାକୁ ବ୍ୟବସ୍ଥା କଲେ
ସହଜେ ଓଡିଶା ଉପକୁଳ ରାଜ୍ୟ ବନ୍ୟା ବାତିଆ ମରୁଡି଼
ଫାଇଲିନ୍ ହୁଡହୁଡ୍ ତିତିଲି ପେଥାଇ ଫଣି ପୁଣି ନଦୀବଢ଼ି
ଗରିବ ରାଇଜ ସ୍ୱଳପ ପାଣ୍ଠିକୁ ଦୁର୍ବିପାକ ଚିର ସାଥୀ
ପ୍ରାଣକେନ୍ଦ୍ର ତା'ର ଜଗତର ନାଥ ଥାଉଁ ଏମାନେ ଅତିଥି
ସ୍ମରଣ କିଅବା କରିବା ସତରେ ଆସେ ଆଉ ଗୋଟେ ବାତ୍ୟା
ଅଠେଇଶ୍ ଅକ୍ଟୋବର୍ କୋଡିଏ ବରଷ ପୁରିବ ନାହିଁ ଅଗତ୍ୟା
