STORYMIRROR

pravasini Senapati

Classics

4  

pravasini Senapati

Classics

ମହା ସତୀ ସାବିତ୍ରୀ

ମହା ସତୀ ସାବିତ୍ରୀ

1 min
398


ମହାସତୀ ହେ ସାବିତ୍ରୀ...ଅଶ୍ଵପତି ଙ୍କ ଦୁହିତି

ସତ୍ୟବାନ ପ୍ରାଣପ୍ରିୟା ରାଜନନ୍ଦିନୀ

ସତୀ ପଣେ ତୁମ ଖ୍ୟାତି ..ମୁନି ମନଲୋଭା କାନ୍ତି

ଇଚ୍ଛା ବର ବରି ହେଲ ପ୍ରେମେ ବନ୍ଦିନୀ

ବନେ ହେଲ ବନ ବାସିନୀ.....

ପତି ସୁଖେ ସୁଖୀ, ଦୁଃଖେ ହେଲ ଦୁଃଖିନୀ ।


ଶୁଣି ନାରଦଙ୍କ ବାଣୀ.. ପତି ଅଳ୍ପାୟୁଷ ଜାଣି

ରୂପେ, ଗୁଣେ ବିମୋହିତ ହୋଇ ବରିଲ

ତ୍ୟାଗକରି ରାଜ ସୁଖ.. ବନରେ ସହିଲ ଦୁଃଖ

ପତି ଭାଗ୍ୟ ସାଥେ ସହଭାଗିନୀ ହେଲ

ଧନ୍ୟ ହେ ନାରୀ ଶିରୋମଣି......

ନାରୀ ଜାତି ତୁମ ଲାଗି ଯେ ଗରବିଣୀ ।


ସୁଖେ କଟୁଥିଲା ଦିନ .. ସେ ସୁଖର ଅବସାନ

ପତିଙ୍କ ଶେଷ ସମୟ ଆସିଲା ହୋଇ 

ଏକ ବର୍ଷ ଯେଉଁ ଦିନ. କଠୋର ବ୍ରତ ପାଳନ

ନିଷ୍ଠା ରେ କରିଲ କାଷ୍ଠା ପତିଙ୍କ ପାଇଁ

ଗଲେ ପତି ଗଭୀର ବନ......

ଫଳ ମୂଳ, କାଷ୍ଠ ଆଣିବା ନିମନ୍ତେଣ ।


ତୁମେ ଏହା ପାରି ଜାଣି.... ଧାଇଁଲ ହୋଇ ଵାୟାଣୀ

ପତି ସଙ୍ଗେ ରହିଲ ଯେ ଛାଇଟେ ପରି

ଅନ୍ତିମ ସମୟେ ପତି.... ତୁମ କୋଳେ ମଥା ପୋତି

ଶୋଇଗଲେ ଚିରନିଦ୍ରା ନ କରି ଡେରି ।

କ୍ରନ୍ଦନ ଶବଦେ ମେଦିନୀ......

କୋଳେ ଧରି ପତି ଶବ ସତୀ ରମଣୀ ।


ଯେଣୁ ତୁମେ ମହାସତୀ.....ସ୍ୱୟଂ ବିଜେ ଜନ୍ତୁପତି

ତୁମ କୋଳୁ ପ୍ରାଣ ନେଇ ପାରନ୍ତିନାହିଁ

ପତି ବିନା ଆନ ବର.. ମାଗି ଘେନ ନାରୀ ବର

କୁହନ୍ତି ଜନ୍ତୁପତି ଯେ ତୁମକୁ ଚାହିଁ ।

ବଚନେ କରିଣ ପ୍ରସନ୍ନ

ତୋଷ କଲ ତୁମେ ଜନ୍ତୁପତି ଙ୍କ ମନ ।


ପଛେ ଧାଇଁ ଜନ୍ତୁପତି.... ଫେରାଇ ଆଣିଲ ପତି

ଜଗତ ଗାଇଲା ସତୀ ତୁମରି ଖ୍ୟାତି

ପତିପ୍ରାଣା ମହାସତୀ...... ରହିଗଲା ତୁମ କୀର୍ତ୍ତି

ରହିଗଲ ତୁମେ ସଦା ଅମର ହୋଇ

ଜ୍ୟେଷ୍ଠ ଅମାବାସ୍ୟା ର ତିଥି.....

ସର୍ବ ସିମନ୍ତିନି ଙ୍କର ଅଭୁଲା ତିଥି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics